ବିଜେଡିରେ ମିଶିଲେ ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନା

ଅନୁଗୁଳ ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ତଥା ୨୦୧୯ ଅନୁଗୁଳ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ବିପ୍ଳବ ଜେନା ଓ ତାଙ୍କର ସମର୍ଥକମାନେ ବିଜେଡିରେ ଯୋଗ ଦେଇଛନ୍ତି।

ସମର୍ଥକଙ୍କ ଗହଣରେ ବିପ୍ଳବଙ୍କୁ ବିଜେଡିରେ ସ୍ୱାଗତ

ଭୁବନେଶ୍ବର, ୧୮/୦୨/୨୦୨୪: କଂଗ୍ରେସରୁ ଇସ୍ତଫା ଦେବାର ୫ ଦିନ ପରେ ଅନୁଗୁଳ ଜିଲ୍ଲାର ବରିଷ୍ଠ ନେତା ବିପ୍ଲବ ଜେନା ତାଙ୍କ ସମର୍ଥକଙ୍କ ସହ ଶାସକ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି।

ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ପଦ ତଥା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ବିପ୍ଳବ ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଭୁବନେଶ୍ୱରସ୍ଥିତ ବିଜେଡି ମୁଖ୍ୟାଳୟ ଶଙ୍ଖ ଭବନରେ ଦଳରେ ଯୋଗ ଦେଇଥିଲେ।

ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ବରିଷ୍ଠ ବିଜେଡି ନେତାମାନେ ଶ୍ରୀ ଜେନା ଓ ତାଙ୍କ ସମର୍ଥକଙ୍କୁ ସ୍ୱାଗତ କରିଥିଲେ। ଅନୁଗୁଳ ବିଧାୟକ ତଥା ବିଧାନସଭାର ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂହ ମଧ୍ୟ ଉପସ୍ଥିତ ଥିଲେ।

ବିପ୍ଳବ ଓ ତାଙ୍କ ସମର୍ଥକ ବିଜେଡିରେ ମିଶିବା ପରେ ଅନୁଗୁଳ ଜିଲ୍ଲାରେ ଆଞ୍ଚଳିକ ଦଳର ସଂଗଠନ ଆହୁରି ସୁଦୃଢ଼ ହୋଇଛି ବୋଲି ପ୍ରଣବ ଦାସ କହିଛନ୍ତି।