ଦୁଇ ଦିନିଆ ‘ନୂଆ ଓଡ଼ିଶା ବିଶ୍ୱ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀ’ ଉଦଘାଟିତ

ଯୁବବର୍ଗଙ୍କ ଭବିଷ୍ୟତକୁ ପ୍ରସ୍ତୁତ କରିବା ଦିଗରେ ଟ୍ରେଣ୍ଡ ସେଟର ହେବ ନିଯୁକ୍ତି ସମ୍ମିଳନୀ।

ଯୁବବର୍ଗଙ୍କ ପାଇଁ ମାର୍ଗ ନିର୍ଦ୍ଧାରଣ କରିବ ସମ୍ମିଳନୀ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର, ୧୯/୦୨/୨୦୨୪: ଆଜି ଭୁବନେଶ୍ୱରରେ ‘ନୂଆ ଓଡ଼ିଶା ବିଶ୍ୱ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀ’ ଅନୁଷ୍ଠିତ ହୋଇଯାଇଛି। ଏହି ଦୁଇ ଦିନିଆ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି।

ଏହି ସମ୍ମିଳନୀରେ ଓଡ଼ିଶାରେ ଅଭିବୃଦ୍ଧିକୁ ଆହୁରି ଆଗକୁ ନେବା ସହିତ ଭବିଷ୍ୟତ ପାଇଁ ରାଜ୍ୟରେ ଯୁବପିଢ଼ିଙ୍କ ଦକ୍ଷତା ବୃଦ୍ଧି ଓ ନିଯୁକ୍ତି ସମ୍ଭାବନା ଉପରେ ବିଭିନ୍ନ ଅଧିବେଶନରେ ଆଲୋଚନା କରାଯାଇଥିଲା।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଦ୍ରୁତ ଗତିରେ ବଦଳୁଥିବା ପ୍ରଯୁକ୍ତିବିଦ୍ୟା ଏବଂ ଆମ ଭବିଷ୍ୟତ ଉପରେ ପଡୁଥିବା ଏହାର ପ୍ରଭାବ ସହ ଆମକୁ ସାମାଜିକ-ଅର୍ଥନୈତିକ ଢାଞ୍ଚାର ନୂତନ ଦିଗ ସହିତ ଶୀଘ୍ର ଖାପ ଖୁଆଇବା ସ୍ଥିତିରେ ରହିବା ଆବଶ୍ୟକ ।

‘ନୂଆ ଓଡ଼ିଶା ବିଶ୍ୱ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀ’ ଆମ ଯୁବବର୍ଗଙ୍କ ଭବିଷ୍ୟତ ପାଇଁ ଏକ ସ୍ପଷ୍ଟ ମାର୍ଗ ନିର୍ଦ୍ଧାରଣ କରିବାର ଏକ ପ୍ଲାଟଫର୍ମ ହେବ। ଆମ ପାଇଁ ପରିବର୍ତ୍ତନ କୌଣସି ବିକଳ୍ପ ନୁହେଁ, ଏହା ଏକ ଅତ୍ୟାବଶ୍ୟକତା। ଆମ ଯୁବପିଢ଼ି ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ସମ୍ମିଳନୀରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡାଇ, ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଓ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷା ଅଳକା ମିଶ୍ରଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।