ମାଘମେଳା ଶୂନ୍ୟବ୍ରହ୍ମଙ୍କ ପାଖରେ ସମର୍ପିତ ହେବାର ମହାନ ଅବସର: ଧର୍ମେନ୍ଦ୍ର ପ୍ରଧାନ

• ଦୀପ ପ୍ରଜ୍ଜ୍ୱଳନ କରିବା ସହ ମହିମା ଗୋସାଇଁଙ୍କ କରୁଣା ଏବଂ ସାଧୁବୃନ୍ଦଙ୍କ ଆଶୀର୍ବାଦ ନେଲେ। • ଯୋରନ୍ଦା ମେଳା ହେଉଛି ବିଶ୍ୱ କଲ୍ୟାଣ ପାଇଁ ପୂଜ୍ୟ ମହିମା ସାଧୁମାନଙ୍କ ଏକତା ଏବଂ ସମୂହ ପ୍ରାର୍ଥନା ମେଳା। • ମହିମା ଗୋସାଇଁଙ୍କ ଦୁଃର୍ମୂଲ୍ୟ ବାର୍ତ୍ତା ସର୍ବସମାଜର ବିକାଶରେ ବିଶେଷତଃ ବଞ୍ଚିତ ବର୍ଗର କଲ୍ୟାଣ କରିବା ପାଇଁ ମାନବ ସମାଜକୁ ପ୍ରେରିତ କରିଆସିଛି।

ଯୋରନ୍ଦାରେ ମାଘମେଳାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ

ଢେଙ୍କାନାଳ, ୨୩/୦୨/୨୦୨୪: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମହିମା ଧର୍ମର ପୀଠସ୍ଥଳୀ ଯୋରନ୍ଦା ମହିମାଗାଦିରେ ବିଶ୍ୱ ପ୍ରସିଦ୍ଧ ମାଘମେଳାରେ ସାମିଲ ହେବା ସହ ଯୋରନ୍ଦା ମେଳା ଶୂନ୍ୟବ୍ରହ୍ମଙ୍କ ପାଖରେ ସମର୍ପିତ ହେବାର ଏକ ମହାନ ଅବସର ବୋଲି କହିଛନ୍ତି ।

ଏହି ଅବସରରେ ଦୀପ ପ୍ରଜ୍ଜ୍ୱଳନ କରି ମହିମା ଗୋସାଇଁଙ୍କ କରୁଣା ଏବଂ ପୂଜ୍ୟ ସାଧୁବୃନ୍ଦଙ୍କ ଆଶୀର୍ବାଦ ନେଇଥିଲେ କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ଯେ ପବିତ୍ର ମାଘ ମାସରେ ଶୂନ୍ୟବାଦର ପୂଣ୍ୟପୀଠ ଏବଂ ଶୂନ୍ୟବ୍ରହ୍ମଙ୍କ ଉପାସନାର ପବିତ୍ର ଭୂମି ଯୋରନ୍ଦାରେ ‘ବିଶ୍ୱପ୍ରସିଦ୍ଧ ମାଘମେଳା’ରେ ସାମିଲ ହେବା ମୋର ସୌଭାଗ୍ୟ । ଯୋରନ୍ଦା ମେଳା, ବିଶ୍ୱ କଲ୍ୟାଣ ପାଇଁ ପୂଜ୍ୟ ମହିମା ସାଧୁମାନଙ୍କ ଏକତା ଏବଂ ସମୂହ ପ୍ରାର୍ଥନା ମେଳା । ଆଜି ଆଧ୍ୟାତ୍ମିକତା ଦୁନିଆ ସହ ଯୋଡିହେବାର ପବିତ୍ର ଦିନ ।

ମହିମା ଧର୍ମର ପ୍ରାଣ ପ୍ରତିଷ୍ଠାତା ମହିମା ଗୋସାଇଁଙ୍କ ଦୁଃର୍ମୂଲ୍ୟ ବାର୍ତ୍ତା ସର୍ବସମାଜର ବିକାଶରେ ବିଶେଷତଃ ବଞ୍ଚିତ ବର୍ଗର କଲ୍ୟାଣ କରିବା ପାଇଁ ମାନବ ସମାଜକୁ ପ୍ରେରିତ କରିଆସିଛି । ସନ୍ଥ କବି ଭୀମ ଭୋଇ ମାର୍ମିକ ସାହିତ୍ୟ ମାଧ୍ୟମରେ ଦେଇଥିବା ଜଗତ କଲ୍ୟାଣର ବାର୍ତ୍ତା ଆମ ସମସ୍ତଙ୍କ ପାଇଁ ପ୍ରେରଣା । ନିଜକୁ ବଳିଦାନ ଦେଇ ବିଶ୍ୱ କଲ୍ୟାଣ ଦିଗରେ ଆଗଭର ହେବା ପାଇଁ ମହିମା ସମାଜ ଦେଉଥିବା ବାର୍ତ୍ତା ଓ ବିଚାର ଅନନ୍ୟ । ଆଜିର ଦିନରେ ଶୂନ୍ୟ ଭଗବାନଙ୍କ ପାଖରେ ସମାଜରେ ସୁଖ, ଶାନ୍ତି ଓ ସାମାଜିକ ସୌହାର୍ଦ୍ଦ୍ୟ ପ୍ରତିଷ୍ଠା ହେବା ନେଇ ଶ୍ରୀ ପ୍ରଧାନ କାମନା କରିଛନ୍ତି ।