ସହରର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ନିରନ୍ତର ସୁବିଧା

ସହର ବିକାଶରେ ଏକ ନୂଆ ମାଇଲଷ୍ଟୋନ ତିଆରି ହୋଇଛି। ବିଭିନ୍ନ ସହରରେ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ହେବା ସହ ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ମିଳିଛି।

ରାଜ୍ୟର ବିକାଶର ଦର୍ପଣ ସହର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୯/୦୨/୨୦୨୪: ରାଜ୍ୟର ସହର ବିକାଶ ଇତିହାସରେ ଆଜି ଏକ ନୂଆ ମାଇଲଷ୍ଟୋନ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୫-ଟି ଉପକ୍ରମରେ ସହରବାସୀଙ୍କ ନିମନ୍ତେ ଅନେକ ସୁବିଧା ଯଥା ପିଇବା ପାଣି ସୁବିଧା, ଡ୍ରିଙ୍କ ଫ୍ରମ ଟ୍ୟାପ, ପକ୍କା ରାସ୍ତା, ସ୍ବେରେଜ୍ ବ୍ୟବସ୍ଥା ଓ ଅନେକ ନାଗରିକ ସେବା ସହିତ ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ଓ ବିଜୁ ଆଦର୍ଶ କଲୋନୀ ଲୋକାର୍ପଣ କରିଛନ୍ତି।

ଆଜି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରାଜ୍ୟର ୪ଟି ସହର ଯଥା କଟକ, ସମ୍ବଲପୁର, ବ୍ରହ୍ମପୁର ଓ ରାଉରକେଲାର ୨୧,୪୨୭ ବସ୍ତି ବାସିନ୍ଦା ପରିବାରକୁ ଭୂମି ଅଧିକାର ପ୍ରମାଣ ପତ୍ର ଦିଆଗଲା। ଏଥି ସହିତ ରାଜ୍ୟର ୨୬ଟି ସହରରେ ୬୨୬ଟି ବିଜୁ ଆଦର୍ଶ କଲୋନୀ ଲୋକାର୍ପିତ ହୋଇଛି। ଏହା ଦ୍ୱାରା ୨ ଲକ୍ଷ ପରିବାର ଉପକୃତ ହେଲେ। ଏଥି ସହିତ ୨୬ଟି ସହରକୁ ବସ୍ତିମୁକ୍ତ ମଧ୍ୟ କରାଯାଇଛି। ସହରର ଅନ୍ୟମାନଙ୍କ ପରି ସେମାନେ ମଧ୍ୟ ସବୁ ମୌଳିକ ସୁବିଧା ସୁଯୋଗ ପାଇଲେ। ଏହା ସହ ମୁଖ୍ୟମନ୍ତ୍ରୀ ରାଜ୍ୟର ୨୪ଟି ସହରରେ ୧୧୬୪ କୋଟି ଟଙ୍କା ମୂଲ୍ୟର ୨୭ଟି ଜଳଯୋଗାଣ ପ୍ରକଳ୍ପ ପାଇଁ ମଧ୍ୟ ଭିତ୍ତି ରଖିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସହର ହେଉଛି ଗୋଟିଏ ରାଜ୍ୟର ବିକାଶର ଦର୍ପଣ। ସମୃଦ୍ଧ ସହର ରାଜ୍ୟର ସମୃଦ୍ଧି ବିଷୟରେ ସୂଚନା ଦେଇଥାଏ। ୫-ଟି ଉପକ୍ରମରେ ହେଉଥିବା ଏହି ସବୁ ବିକାଶ କାର୍ଯ୍ୟକ୍ରମ ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିଛି। ଏହି ସବୁ ପ୍ରକଳ୍ପ ଆମର ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ।

ଆମ ରାଜ୍ୟର ଡ୍ରିଙ୍କ ଫ୍ରମ ଟ୍ୟାପ କାର୍ଯ୍ୟକ୍ରମ ଓ ସହରାଞ୍ଚଳ ବିକାଶ କ୍ଷେତ୍ରରେ ସାରା ଦେଶ ପାଇଁ ଏକ ମଡେଲ। ବ୍ରହ୍ମପୁର ସହରର ସବୁ ପରିବାର ଆଜିଠୁ ୨୪ X ୭ ଡ୍ରିଙ୍କ ଫ୍ରମ ଟ୍ୟାପ ସୁବିଧା ପାଇଲେ। ଏହା ସହିତ ରାଜ୍ୟର ୮ଟି ସହରରେ ଡ୍ରିଙ୍କ ଫ୍ରମ ଟ୍ୟାପ ସୁବିଧା ମିଳିଲା। ରାଜ୍ୟରେ ବିଶ୍ୱସ୍ତରୀୟ ମାନକର ଜନସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକାଶରେ ଏହା ଏକ ବଡ ପଦକ୍ଷେପ। ଭଲ ପିଇବା ପାଣି ୫୦ ପ୍ରତିଶତ ସ୍ୱାସ୍ଥ୍ୟ ସମସ୍ୟା ସମାଧାନ କରିଥାଏ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗାନ୍ଧିଜୀଙ୍କ ଭାଷାରେ ଏହା ସ୍ୱାଧୀନତାଠାରୁ ମଧ୍ୟ ଅଧିକ ଜରୁରୀ। ଆଜି କଟକ ଓ ଭୁବନେଶ୍ୱର ପାଇଁ ଓଡ଼ିଶା ସମନ୍ବିତ ପରିମଳ ଉନ୍ନତି ପ୍ରକଳ୍ପ ଉତ୍ସର୍ଗ କରି ମୁଁ ବହୁତ ଖୁସି। ଏଥି ପାଇଁ ଜାଇକା ସହାୟତାରେ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହା ଦ୍ୱାରା ଭୁବନେଶ୍ୱର ଓ କଟକ ସହରରେ ହୋଇଥିବା ଭୂତଳ ସ୍ବେରେଜ୍ ବ୍ୟବସ୍ଥା, ନୂଆ ନର୍ଦ୍ଦମା ବିଶୋଧନ ପ୍ଲାଣ୍ଟ ଓ ଉନ୍ନତ ଡ୍ରେନେଜ ସୁବିଧା ଗୁଡିକ ଆମ ସହରର ପରିଚୟକୁ ଆହୁରି ଉଜ୍ଜଳ କରିବ।

ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ଝାରସୁଗୁଡା, ବ୍ରଜରାଜନଗର ଓ ବେଲପାହାଡ ସହର ସହିତ ଅନେକ ସହରରେ ପାନୀୟ ଜଳ ପ୍ରକଳ୍ପ ଆରମ୍ଭ କରାଗଲା। ଏହା ମାଧ୍ୟମରେ ୨.୬୫ ଲକ୍ଷ ବାସିନ୍ଦା ଉପକୃତ ହେବେ। ଏଥି ସହିତ ଉନ୍ନତି ଓ ମୁକ୍ତା ଯୋଜନାରେ ବିଭିନ୍ନ ସହରରେ ୩୬୯୯ଟି ନୂଆ ପକ୍କା ରାସ୍ତା ଏବଂ ୬୯୬୧ଟି ନାଗରିକ ସୁବିଧା ପ୍ରକଳ୍ପ ଉତ୍ସର୍ଗ କରାଗଲା। ମୁକ୍ତା ଯୋଜନାର କାର୍ଯ୍ୟକାରିତା ଉପରେ ଆନନ୍ଦ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ମୁକ୍ତା ଯୋଜନାରେ ସବୁକାମ ମା’ ମାନଙ୍କ ଦ୍ୱାରା କରାଯାଉଛି ଏବଂ ଭଲ ଭାବରେ ମଧ୍ୟ ଏହିସବୁ କାମ ମା’ ମାନେ ତୁଲାଉଛନ୍ତି।

କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ଯୋଗଦେଇ କହିଥିଲେ ଯେ ଆଜି ସୁଦ୍ଧା ୨ ଲକ୍ଷ ୩୫ ହଜାର ପରିବାରକୁ ଭୂମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯାଇଛି। ୧୬୩୬ଟି ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ପରିଣତ କରାଯାଇଛି। ଆଜି ୪ଟି ମହାନଗର ନିଗମର ୨୧,୪୨୭ ପରିବାରକୁ ଭୂମି ଅଧିକାର ପ୍ରମାଣ ପତ୍ର ପ୍ରଦାନ କରାଗଲା। ଏଥି ସହିତ ପାନୀୟ ଜଳ ପ୍ରକଳ୍ପ, ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପ, ଉନ୍ନତି ଯୋଜନାରେ ବିଭିନ୍ନ ସହରାଞ୍ଚଳ ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରାଗଲା। ଏହି ସବୁ ପ୍ରକଳ୍ପ ଗୁଡିକ ୫-ଟି ଉପକ୍ରମରେ ସମ୍ପନ୍ନ ହୋଇଛି।

କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଜି ମାଥି ଭାଥନନ୍ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ପୌର ପ୍ରଶାସନ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ।