ଯେତିକି ମିଶୁଛନ୍ତି ସେତିକି ଛାଡୁଛନ୍ତି

•ଜୟଦେବ ବିଧାୟକ ଅରବିନ୍ଦ ଢାଲି ବିଜେଡିରୁ ଇସ୍ତଫା ଦେଲେ। •ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଲେ ଇସ୍ତଫାପତ୍ର। •ଆସନ୍ତାକାଲି ବିଜେପିରେ ଯୋଗଦେବେ ଅରବିନ୍ଦ ଢାଲି।

ବିଜେଡିର ଚାଲିଛି ମିଶାଣ ଫେଡ଼ାଣ

ଭୁବନେଶ୍ବର, ୦୨/୦୩/୨୦୨୪: ବିଜେଡିକୁ ଲାଗିଛି ଶକ୍ତ ଝଟକା। ଗୋଟିଏ ପଟେ ଦଳ ବଳ ଗୋଟାଉଥିବା ବେଳେ ଅନ୍ୟ ପଟେ ଦଳରୁ ଜଣଙ୍କ ପରେ ଜଣେ କଟୁଛନ୍ତି। ବିଜେଡ଼ି ନିଜର ପତିଆରା ବଜାୟ ରଖିବାକୁ ଚେଷ୍ଟା କରୁଥିବା ବେଳେ ବିଜେପି ତା’ର ସ୍ଥିତିକୁ ଆଞ୍ଚଳିକ ସ୍ତରରେ ମଜବୁତ କରୁଛି। ବିଜେଡିର ଗଡ ଥିବା ଟାଣୁଆ ଅଞ୍ଚଳ ଏବେ ବିଜେପି ଆଡକୁ ମୁହାଁଉଛି।

ଦଳୀୟ କନ୍ଦଳ ପାଇଁ ହେଉ କିମ୍ବା ଆଗକୁ ବଢିବାର ସୁଯୋଗ ନ ପାଇବା ପାଇଁ ହେଉ, କିମ୍ବା ଦଳର ସର୍ବୋଚ୍ଚ ନେତାଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି କିଛି ନା କିଛି କାରଣ ଦର୍ଶାଇ ଶାସକ ବିଜେଡିରୁ ବହୁ ଟାଣୁଆ ନେତା ଇସ୍ତଫା ଦେଉଛନ୍ତି। ଆଉ କେହି ଟିକେଟ ପାଇବା ଆଶାରେ ଅନ୍ୟ ଦଳକୁ ଡେଉଁଛନ୍ତି। ଗତ କିଛି ଦିନ ମଧ୍ୟରେ ନିର୍ବାଚନକୁ ଦୃଷ୍ଟିରେ ରଖି ବହୁ ନେତା ବିଜେଡିରୁ ଇସ୍ତଫା ଦେଇ ସାରିଲେଣି।

ଗତ କାଲି ବିଷମକଟକ ନିର୍ବାଚନମଣ୍ଡଳୀର ପୁରୁଖା ନେତା ଜଗନ୍ନାଥ ନୁଣ୍ଡୃକା ଦଳରୁ ଇସ୍ତଫା ଦେଇଥିବା ବେଳେ ଗତ କିଛି ଦିନ ତଳେ ପୂର୍ବତନ ବିଧାୟକ ଦେବାଶିଷ ନାୟକ ବିଜେଡିରୁ ଇସ୍ତଫା ଦେଇଥିଲେ। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ମଧ୍ୟ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଛନ୍ତି। ସେହିପରି ଆଜି ଦଳରୁ ଇସ୍ତଫା ଦେଇଛନ୍ତି ଦଳର ବରିଷ୍ଠ ନେତା ତଥା ବର୍ତ୍ତମାନର ବିଧାୟକ ଅରବିନ୍ଦ ଢାଲି।

ଭୁବନେଶ୍ୱର ଜୟଦେବ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ଅରବିନ୍ଦ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଇ-ମେଲ୍ ଜରିଆରେ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। କିନ୍ତୁ ଦଳ ଛାଡିବାର କୌଣସି ନିର୍ଦ୍ଦିଷ୍ଟ କାରଣ ସେ ଦର୍ଶାଇ ନାହାନ୍ତି। ସେପଟେ ଆସନ୍ତାକାଲି ସେ ବିଜେପିରେ ଯୋଗ ଦେବେ ବୋଲି ଅରବିନ୍ଦ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।