ବାବା ସାହେବ ଭୀମ୍‌ରାଓ ଆମ୍ବେଦକର ବସ୍‌ ଟର୍ମିନାଲ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ବାବା ସାହେବଙ୍କ ପ୍ରତି ଓଡିଶାବାସୀଙ୍କ ଶ୍ରଦ୍ଧାଞ୍ଜଳୀ। ବାବା ସାହେବଙ୍କ ଅବଦାନ ସମ୍ପର୍କରେ ସଚେତନ କରିବା ପାଇଁ ତାଙ୍କ ଜୀବନ ଓ ଆଦର୍ଶ ଉପରେ ଆଧାରିତ ସ୍ବତନ୍ତ୍ର ଗ୍ୟାଲେରୀ ସ୍ଥାନୀତ।

ଏୟାରପୋର୍ଟ ଭଳି ମିଳିବ ସୁବିଧା ସୁଯୋଗ

ଭୁବନେଶ୍ବର, ୦୧.୦୩.୨୦୨୪: ବହୁ ପ୍ରତୀକ୍ଷିତ ବାବା ସାହେବ ଭୀମ୍‌ରାଓ ଆମ୍ବେଦକର ବସ୍‌ ଟର୍ମିନାଲର ହେଲା ଶୁଭ ଉଦ୍‌ଘାଟନ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭୁବନେଶ୍ୱର ବରମୁଣ୍ଡାଠାରେ ୫-ଟି ଉପକ୍ରମରେ ନବନିର୍ମିତ ଏହି ବସଷ୍ଟାଣ୍ଡର ଉଦଘାଟନ ହୋଇଯାଇଛି।

ବରମୁଣ୍ଡା ବସ୍‌ ଷ୍ଟାଣ୍ଡ ଭାବେ ପୂର୍ବରୁ ପରିଚିତ ଥିବା ଏହି ବସ୍‌ ଷ୍ଟାଣ୍ଡ ଓଡିଶାର ଏକ ବ୍ୟସ୍ତବହୁଳ ବସ୍‌ ଷ୍ଟାଣ୍ଡ। ଦୈନିକ ଶହ ଶହ ବସ୍‌ ଓ ହଜାର ହଜାର ଯାତ୍ରୀଙ୍କର ଏଠାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଓ ରାଜ୍ୟ ବାହାରକୁ ଯାତାୟତ ହୋଇଥାଏ। ଯାତ୍ରୀମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ବରମୁଣ୍ଡା ବସ୍‌ଷ୍ଟାଣ୍ଡର ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ଉଦ୍‌ଘାଟନୀ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ବସ୍‌ ଟର୍ମିନାଲ ଯାତ୍ରୀମାନଙ୍କୁ ଉତ୍ତମ ସେବା ଯୋଗାଇଦେବାରେ ସଫଳ ହେବ ଏବଂ ଭୁବନେଶ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ଲ୍ୟାଣ୍ଡମାର୍କ ହୋଇ ରହିବା ସହିତ ସାରା ଓଡିଶାରେ ଏକ ନୂଆ ପରିଚୟ ହେବ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଆମ ସମ୍ବିଧାନ ପ୍ରସ୍ତୁତ କରିବାରେ ବାବା ସାହେବ ଭୀମ୍‌ରାଓ ଆମ୍ବେଦକରଙ୍କ ମୁଖ୍ୟ ଭୂମିକା ରହିଥିଲା। ଭାରତୀୟ ସମ୍ବିଧାନର ପ୍ରଣେତା ଭାବେ ସେ ଜଣାଶୁଣା। ଦେଶ ପାଇଁ ତାଙ୍କ ଅବଦାନକୁ ସମ୍ମାନ ଜଣାଇ ତାଙ୍କ ନାମରେ ଏହି ବସ୍‌ ଟର୍ମିନାଲ ଓଡିଶା ସରକାର ନାମିତ କରିଛନ୍ତି। ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ବାବା ସାହେବଙ୍କ ପ୍ରତି ଓଡିଶାବାସୀଙ୍କ ଏହା ହେଉଛି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ବାବା ସାହେବଙ୍କ ଅବଦାନ ସମ୍ପର୍କରେ ସମସ୍ତଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ବସ୍ ଟର୍ମିନାଲ ଭିତରେ ବାବା ସାହେବଙ୍କ ଜୀବନ ଓ ଆଦର୍ଶ ଉପରେ ଆଧାରିତ ଏକ ଗ୍ୟାଲେରୀ ମଧ୍ୟ କରାଯାଇଛି।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ୫-ଟି ଉପକ୍ରମରେ ହୋଇଥିବା ଏହି ବସ୍‌ ଟର୍ମିନାଲ ବସ୍‌ ମାଲିକ, ବ୍ୟବସାୟୀ, ଯାତ୍ରୀ ତଥା ସମସ୍ତ ଜନସାଧାରଣଙ୍କ ସହଯୋଗରେ ନିର୍ମିତ ହୋଇଛି। ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ସେଥିପାଇଁ ଧନ୍ୟବାଦ ଜଣାଇ କହିଥିଲେ ଯେ ଏହି ବସ୍‌ ଟର୍ମିନାଲରେ ଯାତ୍ରୀମାନଙ୍କୁ ଉତ୍ତମ ସେବା ଯୋଗାଇଦେବା ପାଇଁ ସବୁ ପ୍ରକାର ସୁବିଧା କରାଯାଇଛି। ଏଠାରେ ଜରୁରୀ କାଳୀନ ଚିକିତ୍ସାଠାରୁ ଆରମ୍ଭ କରି ବ୍ୟବସାୟିକ କମ୍ପ୍ଲେକ୍ସ, ଏସ୍କଲେଟର, ଲିଫ୍ଟ, ପ୍ରତିକ୍ଷାଳୟ, ପୋଲିସ୍‌ ଫାଣ୍ଡି, ଡ୍ରାଇଭରମାନଙ୍କ ବିଶ୍ରାମ କକ୍ଷ, ଆହାର କେନ୍ଦ୍ର, ଫୁଡ୍ କୋର୍ଟ ଆଦି ସମସ୍ତ ସୁବିଧା ରହିଛି। ଏୟାରପୋର୍ଟ ଭଳି ଯାତ୍ରୀମାନେ ଏଠାରେ ସବୁ ସୁବିଧା ପାଇ ପାରିବେ ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଏହି ବସ୍‌ ଟର୍ମିନାଲର ଉପଯୁକ୍ତ ରକ୍ଷଣାବେକ୍ଷଣରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ।

କାର୍ଯ୍ୟକ୍ରମରେ ପତାକା ଦେଖାଇ ବସ୍‌ ଚଳାଚଳର ଶୁଭାରମ୍ଭ କରିବା ସହିତ ଆହାର କେନ୍ଦ୍ରରେ ଯାତ୍ରୀ ମାନଙ୍କୁ ଖାଦ୍ୟ ପରସିଥିଲେ ମୁଖ୍ୟମନ୍ତ୍ରୀ।

କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ, ବିଜ୍ଞାନ ଓ ବୈଷୟିକ ତଥା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଥିଲେ ଯେ ଭୁବନେଶ୍ବରର ବିକାଶରେ ଆଜି ଆଉ ଏକ ନୂଆ ଫର୍ଦ୍ଦ ଯୋଡି ହେଲା। ପରିବହନ କ୍ଷେତ୍ରରେ ଯାହା ଆମ ପାଇଁ ସ୍ବପ୍ନ ଥିଲା, ତାହା ଆଜି ପୂରଣ ହେଲା।

୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ବିଧାୟକ ଶ୍ରୀ ସୁଶାନ୍ତ ରାଉତ, ଭୁବନେଶ୍ୱର ମେୟର ସୁଲୋଚନା ଦାସ ପ୍ରମୁଖ ଉପସ୍ଥିତ ଥିଲେ।