ରାଜ୍ୟଗୋଷ୍ଠୀ କ୍ରୀଡା ଉଦଘାଟିତ, ଉତ୍ସବରେ ୨୦୦୦ରୁ ଅଧିକ କଳାକାର ସାମିଲ

ବର୍ମିଂହାମ: ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଆଖି ଝଲସିଗଲା ଭଳି ଆତସବାଜିରେ ଆରମ୍ଭ ହୋଇଛି ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା । ବର୍ମିଂହାମର ଆଲେକଜାଣ୍ଡର ଷ୍ଟାଡିୟମରେ ଉଦ୍‌ଘାଟନୀ ଉତ୍ସବ ଆୟୋଜିତ ହୋଇଥିଲା । ୨୦୦୦ରୁ ଊଦ୍ଧ୍ୱର୍ କଳାକାର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଇଂଲଣ୍ଡର କଳା, ସଂସ୍କୃତି, ନୃତ୍ୟ ଓ ଗୀତର ଛାପ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସାଜିଥିଲା । ୨୦୧୨ ଅଲିମ୍ପିକ୍ସର ଉଦ୍‌ଘାଟନୀ ଉତ୍ସବ ଠାରୁ ଏହା ଅଧିକ ଚିତାକର୍ଷକ ରହିଥିଲା ।

୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏଥର ମୋଟ୍‌ ୭୨ଟି ଦେଶରୁ ୫,୦୫୪ କ୍ରୀଡ଼ାବିତ ସାମିଲ ହୋଇଛନ୍ତି । ୨୦ଟି କ୍ରୀଡ଼ାର ମୋଟ୍‌ ୨୮୦ଟି ଇଭେଣ୍ଟରେ ପଦକ ପାଇଁ ପ୍ରତିଦ୍ୱନ୍ଦ୍ୱିତା ହେବ । ଏହି ସଂସ୍କରଣରେ ପ୍ରଥମ ଥର ମହିଳା ଟି-ଟ୍ୱେଣ୍ଟି କ୍ରିକେଟ୍‌କୁ ସାମିଲ କରାଯାଇଛି । ୧ ୯ ୩ ୦ ରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆରମ୍ଭ ହୋଇଥିଲା । ୧୯୩୪ରୁ ଭାରତ କ୍ରୀଡ଼ାରେ ଭାଗ ନେଇ ଆସୁଥିଲେ ବି ୧୯୫୦, ୧୯୬୨ ଓ ୧୯୮୬ କ୍ରୀଡ଼ାରୁ ଓହରି ଯାଇଥିଲା । ବର୍ମିଂହାମ କ୍ରୀଡ଼ାରେ ୨୧୫ ଜଣିଆ ଭାରତୀୟ ଦଳ ଭାଗ ନେଇଛି । ଏଥିରେ ୧୧୧ ପୁରୁଷ ଓ ୧୦୪ ମହିଳା କ୍ରୀଡ଼ାବିତ ସାମିଲ ରହିଛନ୍ତି । ଗତ ୨୦୧୮ ସଂସ୍କରଣରେ ଭାରତ ୨୬ଟି ସ୍ୱର୍ଣ୍ଣ ପଦକ ସହ ମୋଟ୍‌ ୬୬ଟି ପଦକ ଜିତିଥିଲା ।