ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଯୋଗ ଦେଲେ ୧୨୯୪ ଜଣ

୭୨୫ ଜଣ ବିଦ୍ୟାଳୟ ଓ ଗଣଶିକ୍ଷାରେ, ୨୮୦ ଜଣ ଅର୍ଥ ବିଭାଗରେ ଏବଂ ୧୨୯ ଜଣ ଗ୍ରାମ୍ୟ ଉନ୍ନୟନ ବିଭାଗରେ ଯୋଗ ଦେଇଛନ୍ତି।

୫ଟି ବିଭାଗରେ ଯୋଗ ଦେଲେ ୧୬୦ ଶ୍ରେଷ୍ଠ କ୍ରୀଡ଼ାବିତ୍

ଭୁବନେଶ୍ଵର, ୦୯/୦୩/୨୦୨୪: ଆଜି ଲୋକସେବା ଭବନର କନଭେନସନ୍ ସେଣ୍ଟରରେ ନିଯୁକ୍ତି ପର୍ବ ଅନୁଷ୍ଠିତ ହୋଇଯାଇଛି। ୧୨୯୪ ଜଣ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଯୋଗ ଦେଇଛନ୍ତି। ୭୨୫ ଜଣ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ଯୋଗ ଦେଇଥିବା ବେଳେ ୨୮୦ ଜଣ ଅର୍ଥ ବିଭାଗରେ ଯୋଗ ଦେଇଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗରେ ମଧ୍ୟ ୧୨୯ ଜଣଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏହାବ୍ୟତୀତ ଇସ୍ପାତ ଓ ଖଣି ବିଭାଗ, ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗ, ଉଚ୍ଚଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଗୃହ ବିଭାଗ ଭଳି ୫ଟି ବିଭାଗରେ ୧୬୦ ଜଣ ବିଶିଷ୍ଟ କ୍ରୀଡ଼ାବିତ୍ ଯୋଗ ଦେଇଛନ୍ତି।

ନବନିଯୁକ୍ତ ଅଧିକାରୀଙ୍କ ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ତାଙ୍କ ଶାସନ ବ୍ୟବସ୍ଥାରେ ଲୋକଙ୍କ ଇଚ୍ଛା ସର୍ବୋଚ୍ଚ। ତାଙ୍କ ସରକାର ଲୋକଙ୍କ ଜୀବନରେ ପରିବର୍ତନ ଆଣିବା ପାଇଁ କଠିନ ପରିଶ୍ରମ କରୁଛନ୍ତି। ନୂଆ କର୍ମଚାରୀମାନେ ନିଜର ଆନ୍ତରିକତା ଓ ପ୍ରତିବଦ୍ଧତାର ସହ ଲୋକଙ୍କ ସେବା କରିବା ପାଇଁ କାର୍ଯ୍ୟ କରିବା ଉଚିତ ବୋଲି ସେ ନୂତନ ନିଯୁକ୍ତ ମାନଙ୍କୁ ପରାମର୍ଶ ଦେଇଥିଲେ।

ଅଧିକାରୀମାନଙ୍କୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସରକାରରେ ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଏହା ଏକ ବଡ଼ ସଫଳତା। ଗତ କିଛି ବର୍ଷ ହେବ ଆମେ ନିୟମିତ ଭାବେ ନିଯୁକ୍ତି ଦେଉଛୁ। ଏହା ଦ୍ବାରା ଲୋକଙ୍କ ସେବା କରିବାର କ୍ଷମତା ସୁଦୃଢ଼ ହେବ। ନିଯୁକ୍ତି ବ୍ୟବସ୍ଥାରେ ଦକ୍ଷତା ଆଣିଥିବାରୁ ସେ ସମସ୍ତ ବିଭାଗ ଓ ନିଯୁକ୍ତି ଏଜେନ୍ସିକୁ ଧନ୍ୟବାଦ ଜଣାଇଛନ୍ତି।

ଅନେକ ଉତ୍କୃଷ୍ଟ କ୍ରୀଡ଼ାବିତ୍ ନିଯୁକ୍ତି ପାଇଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି। ଏହା ନିଶ୍ଚିତ ଭାବେ ଆମର ଉଦୀୟମାନ କ୍ରୀଡ଼ା ପ୍ରତିଭାଙ୍କୁ ଉତ୍ସାହିତ କରିବ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, “କୌଣସି କାମ ଛୋଟ କିମ୍ବା ବଡ ନୁହେଁ । ବୃହତ୍ତର ଜନମଙ୍ଗଳର ସାମଗ୍ରିକ ଲକ୍ଷ୍ୟ ହାସଲ କରିବାରେ ପ୍ରତ୍ୟେକ ଚାକିରିର ନିଜର ମହତ୍ୱ ରହିଛି। କେବଳ ମନେରଖନ୍ତୁ ଯେ ଓଡ଼ିଶାବାସୀ ଆମ କାମ ପାଇଁ ଟଙ୍କା ଦେଉଛନ୍ତି ଏବଂ ଆମେ ଏଠାରେ ସେମାନଙ୍କ ସେବା କରିବାକୁ ଆସିଛୁ।

ସେ ଆହୁରି ମଧ୍ୟ କହିଛନ୍ତି, ଓଡ଼ିଶାର ସାଢ଼େ ଚାରି କୋଟି ଲୋକଙ୍କୁ ମୁଁ ମୋ ପରିବାର ସଦସ୍ୟ ଭାବେ ବିବେଚନା କରୁଛି। ଆମକୁ ସମ୍ମାନର ସହ ସେମାନଙ୍କ ସେବା କରିବାକୁ ପଡ଼ିବ। ଆମର ୫-ଟି ପଦକ୍ଷେପ ରାଜ୍ୟର ପ୍ରତ୍ୟେକ କ୍ଷେତ୍ରରେ ଦୃଶ୍ୟମାନ ପରିବର୍ତ୍ତନ ଆଣିବାରେ ବହୁତ ପ୍ରଭାବଶାଳୀ ହୋଇଛି। ଓଡ଼ିଶା ଏବେ ଅନେକ କ୍ଷେତ୍ରରେ ଅନ୍ୟ ରାଜ୍ୟ ପାଇଁ ଆଦର୍ଶ ପାଲଟିଛି। ମୁଁ ନିଶ୍ଚିତ ଯେ ତୁମେ ତୁମର ଓରିଏଣ୍ଟେସନରେ ୫ଟିର ପ୍ରଣାଳୀ ଶିଖିବ ଏବଂ ଏହାକୁ ଅକ୍ଷର ଓ ଭାବନାରେ ତୁମ କାର୍ଯ୍ୟରେ ପ୍ରତିଫଳିତ କରିବ। ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶା ପାଇଁ କାର୍ଯ୍ୟ କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।

ଏହି ଅବସରରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼ାଇ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ରାଜ୍ୟରେ ବିକାଶ ଓ ପରିବର୍ତ୍ତନର ଏକ ଜୀବନ୍ତ ପରିବେଶ ସୃଷ୍ଟି ହୋଇଛି। କ୍ରୀଡ଼ା, ଶିଳ୍ପ ଓ ପୁଞ୍ଜିନିବେଶ କ୍ଷେତ୍ରରେ ଓଡ଼ିଶା ଆଗୁଆ ରହିଛି। ନୂତନ କର୍ମଚାରୀମାନେ ଆନ୍ତରିକତାର ସହ ପରିବର୍ତ୍ତନର ଏହି ଯାତ୍ରାରେ ଯୋଗଦାନ କରିବା ଉଚିତ୍।