ବିଶ୍ୱସ୍ତରୀୟ ହେବ କଳିଙ୍ଗ ଷ୍ଟାଡିୟମରେ ନିର୍ମିତ ଦେଶର ପ୍ରଥମ ଇନଡୋର ଆଥଲେଟିକ୍ସ ସେଣ୍ଟର

କଳିଙ୍ଗ ଷ୍ଟାଡିୟମରେ ଦେଶର ପ୍ରଥମ ଇନଡୋର ଆଥଲେଟିକ୍ସ ସେଣ୍ଟର ଓ ଅତ୍ୟାଧୁନିକ ଇନଡୋର ଆକ୍ୱାଟିକ୍ ସେଣ୍ଟରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି।

ଇନଡୋର ଡାଇଭିଂ ସେଣ୍ଟର ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର, ୦୯/୦୩/୨୦୨୪: କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ଆଥଲେଟିକ୍ସ ଓ ସନ୍ତରଣକୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳିଙ୍ଗ ଷ୍ଟାଡିୟମରେ ଭାରତର ପ୍ରଥମ ଇନଡୋର ଆଥଲେଟିକ୍ସ ସେଣ୍ଟର ଏବଂ ଇନଡୋର ଆକ୍ୱାଟିକ୍ ସେଣ୍ଟରର ଉଦଘାଟନ କରିଛନ୍ତି। ଏହା ସହ ଇନଡୋର ଡାଇଭିଂ ସେଣ୍ଟରର ଶିଳାନ୍ୟାସ କରିଥିଲେ। ରିଲାଏନ୍ସ ଫାଉଣ୍ଡେସନ ସହଯୋଗରେ ପ୍ରତିଷ୍ଠା ହୋଇଥିବା ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର ପାଇଁ ଏହି ବିଶ୍ୱସ୍ତରୀୟ ପ୍ରଶିକ୍ଷଣ କେନ୍ଦ୍ର ହେବ।

ହାଇ ପରଫର୍ମାନ୍ସ ଆଥଲେଟଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ସୁବିଧାରେ ପୂର୍ଣ୍ଣକାଳୀନ ପ୍ରଶିକ୍ଷଣ ନେଉଥିବା ଖେଳାଳିଙ୍କ ପାଇଁ ୬୦ଟି ଟ୍ୱିନ୍ ସେୟାରିଂ ରୁମ୍ ରହିଛି। ଇନଡୋର ଆକ୍ୱାଟିକ୍ ସେଣ୍ଟରରେ ତାପମାତ୍ରା ନିୟନ୍ତ୍ରିତ ୫୦ ମିଟର ଅଲିମ୍ପିକ୍ ଆକାରର ସୁଇମିଂ ପୁଲ୍ ଏବଂ ୨୫ ମିଟର ୱାର୍ମଅପ୍ ପୁଲ୍ ରହିଛି, ଯେଉଁଥିରେ ୧୦୦୦ ଦର୍ଶକ ବସିପାରିବେ ଏବଂ ଅନ୍ତର୍ଜାତୀୟ ଚାମ୍ପିୟନଶିପ୍ ଆୟୋଜନ କରିପାରିବେ। ଫିଟନେସ୍ ସେଣ୍ଟର, କ୍ରୀଡ଼ା ପୁନରୁଦ୍ଧାର ସୁବିଧା ଏବଂ ୨୬ଟି ଟ୍ୱିନ୍ ସେୟାରିଂ ରୁମ୍ ସହିତ ରହିବାର ସୁବିଧା ରହିଛି।

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ନିର୍ମାଣ ହେବାକୁ ଥିବା ଇନଡୋର ଡାଇଭିଂ ସେଣ୍ଟରର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ଡାଇଭିଂ ସେଣ୍ଟରରେ ୨୫ ମିଟର ତାପମାତ୍ରା ନିୟନ୍ତ୍ରିତ ଡାଇଭିଂ ପୁଲ୍ ରହିବ, ଯେଉଁଥିରେ ସିଙ୍କ୍ରୋନାଇଜ୍ ସୁଇମିଂ ପାଇଁ ଅତିରିକ୍ତ ୫ ମିଟର ଏବଂ ୫୦୦ ଦର୍ଶକଙ୍କ ବସିବାର କ୍ଷମତା ରହିବ।

ଏହି କାର୍ଯ୍ୟକ୍ରମରେ ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍, ଆଥଲେଟିକ ଫେଡେରେସନ ଅଫ୍ ଇଣ୍ଡିଆର ସଭାପତି ଆଦିଲ ସୁମାରିୱାଲା, ଭାରତୀୟ ସନ୍ତରଣ ମହାସଂଘର ସମ୍ପାଦକ ମୋନାଲ ଚୋକସି, ବରିଷ୍ଠ କ୍ରୀଡ଼ା ପ୍ରଶାସକ ଆଶୀର୍ବାଦ ବେହେରାଙ୍କ ସମେତ ରାଜ୍ୟ ସଂଘର ପ୍ରତିନିଧି ଓ କ୍ରୀଡ଼ାବିତମାନେ ଉପସ୍ଥିତ ଥିଲେ।

କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ବିନୀଲ କ୍ରିଷ୍ଣା, ନାଲକୋର ସିଏମଡି ଶ୍ରୀଧର ପାତ୍ର, ରିଲାଏନ୍ସ ଫାଉଣ୍ଡେସନର ନିର୍ଦ୍ଦେଶକ ଆଶିଷ କଣ୍ଟ୍ରାକ୍ଟର, ଜେଏସଡବ୍ଲ୍ୟୁ ସ୍ପୋର୍ଟସ୍ ର ସିଇଓ ମୁସ୍ତାଫା ଘୋଷ୍ ପ୍ରମୁଖ ଉପସ୍ଥିତ ଥିଲେ।