ନବୀନ-ପାଣ୍ଡିଆନଙ୍କ ୧୩ ସେକେଣ୍ଡ ବାର୍ତ୍ତାଳାପ ଦେଲା ନୂଆ ସଙ୍କେତ

ଆଜି ପାଣ୍ଡିଆନଙ୍କ ଇନଷ୍ଟାଗ୍ରାମରେ ନବୀନ ପଟ୍ଟନାୟକ ଓ ତାଙ୍କ ଭିତରେ ଚାଲିଥିବା ବାର୍ତ୍ତାଳପର ଏକ ୧୩ ସେକେଣ୍ଡ ଭିଡିଓ ଅପଲୋଡ କରିଛନ୍ତି।

ରାଜନୀତିରେ ଖରାପ ଜିନିଷ ଗୁଜବ ଓ ମିଛ: ନବୀନ

ଭୁବନେଶ୍ବର, ୦୯/୦୩/୨୦୨୪: ରାଜ୍ୟ ରାଜନୀତି ରହିଛି ଗରମାଗରମ। ଜାତୀୟ ଦଳ ବିଜେପି ସହ ଆଞ୍ଚଳିକ ଦଳ ବିଜେଡିର ମେଣ୍ଟ ଚର୍ଚ୍ଚା ଗତ କିଛି ଦିନ ଧରି ରାଜ୍ୟରେ ଏକ ମୁଖ୍ୟ ଖବର ପାଲଟିଛି। ଏହି ରାଜନୈତିକ ହଟଚମଟ ମଧ୍ୟରେ ଆଜି ବିଜେଡି ସୁପ୍ରିମୋଙ୍କ ଏକ ବୟାନ ରାଜନୈତିକ ସ୍ଥିତିକୁ ଆହୁରି ଚର୍ଚ୍ଚା ଭିତରକୁ ଟାଣି ଆଣିଛି।

ଆଜି ନବୀନଙ୍କ ଘନିଷ୍ଠ ସହଯୋଗୀ ଭିକେ ପାଣ୍ଡିଆନ ତାଙ୍କ ସୋସିଆଲ ମିଡ଼ିଆ ସାଇଟ ଇନଷ୍ଟାଗ୍ରାମରେ ୧୩ ସେକେଣ୍ଡର ଏକ ଭିଡିଓ ଅପଲୋଡ କରିଛନ୍ତି। ଯେଉଁଥିରେ ଦେଖାଯାଇଛି ଯେ, ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ଏକ ପ୍ରଶ୍ନ କରୁଛନ୍ତି, ସାର! ରାଜନୀତିରେ ସବୁଠୁ ଖରାପ ଜିନିଷ କ’ଣ। ଏହି ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଉତ୍ତର ଦେଇଛନ୍ତି, ରାଜନୀତିରେ ସବୁଠୁ ଖରାପ ଜିନିଷ ହେଉଛି ଗୁଜବ ଏବଂ ମିଛ କଥା।

ଏହି ବାର୍ତ୍ତାଳାପକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି। ସାମ୍ପ୍ରତିକ ସମୟରେ ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ହେବାକୁ ଯାଉଥିବା ଖବର ଗଣମାଧ୍ୟମରେ ପ୍ରସାରଣ ହେଉଥିବା ବେଳେ ଏଭଳି ଭିଡିଓ କିଛି ଅନ୍ୟ ଆଡକୁ ଇଙ୍ଗିତ କରୁଛି। ଗତ କିଛିଦିନ ପୂର୍ବରୁ ଖବର ପରିବେଷଣ ସହ ଚାରିଆଡେ ଏହାକୁ ନେଇ ଆଲୋଚନା ଓ ପର୍ଯ୍ୟାଲୋଚନା ଚାଲିଥିବା ବେଳେ ଏବେ ବିଜେଡିର ଶୀର୍ଷ ନେତାମାନେ ଏହି ମେଣ୍ଟର ସମ୍ଭାବନା ବିଷୟରେ ଚୁପ୍ ବସିଛନ୍ତି। ଅପରପକ୍ଷରେ ଓଡ଼ିଶାରେ ମେଣ୍ଟ କଥାକୁ ଖଣ୍ଡନ କରି ବିଜେପି କହିଛି ଯେ ଏସବୁ ହେଉଛି ଗଣମାଧ୍ୟମ ସୃଷ୍ଟି।

ଶୁକ୍ରବାର ସନ୍ଧ୍ୟାରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବିଜେଡ଼ି ସହ କୌଣସି ନିର୍ବାଚନୀ ମେଣ୍ଟର ସମ୍ଭାବନାକୁ ଖଣ୍ଡନ କରିଥିଲେ। ଓଡ଼ିଶାରେ ବିଜେପି ଏକାକୀ ନିର୍ବାଚନ ଲଢ଼େଇ କରିବ ବୋଲି ସେ କହିଥିଲେ। ସେହିପରି ଠିକ୍ ଏହାର ଗୋଟିଏ ଦିନ ପରେ ବିଜେପିର ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂହ ତୋମାର ମଧ୍ୟ ମନମୋହନଙ୍କୁ ସମର୍ଥନ କରି କହିଥିଲେ ଯେ ଏ ନେଇ ଜାତୀୟ ଦଳର ଶୀର୍ଷ ନେତୃତ୍ୱଙ୍କ ସହ କୌଣସି ଆଲୋଚନା ହୋଇନାହିଁ।

ଅପରପକ୍ଷରେ ଆଜି ପାଣ୍ଡିଆନଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ବାର୍ତ୍ତାଳାପରୁ ସ୍ପଷ୍ଟ ଜଣା ପଡୁଛି ଯେ, ମେଣ୍ଟ ସଂକ୍ରାନ୍ତରେ ଯେଉଁ ଖବର ପରିବେଷଣ ହେଉଥିଲା ତାହା ସମ୍ପୂର୍ଣ୍ଣ ଗୁଜବ। ଏହା କେବଳ ଗଣମାଧ୍ୟମ ଦ୍ୱାରା ସୃଷ୍ଟି ହୋଇଥିବା ଭ୍ରମ।