ରାଜ୍ୟରେ ବଢୁଛି ତାତି

ଆସନ୍ତା କାଲି ଠାରୁ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବ ବୋଲି ଆଇଏମଡି ପୂର୍ବାନୁମାନ କରିଛି।

ଆଜି ହୋଇପାରେ ବର୍ଷା

ଭୁବନେଶ୍ବର, ୧୦/୦୩/୨୦୨୪: ରାଜ୍ୟରେ ବଢୁଛି ତାତି। କିଛି ଦିନ ଧରି ବର୍ଷା ହୋଇଥିବାରୁ ପାଗରେ ସାଧାରଣତଃ ପରିବର୍ତ୍ତନ ଆସିଥିଲା। କିନ୍ତୁ ଆଜିଠାରୁ ମୁଣ୍ଡଫଟା ଖରା ଅନୁଭୂତ ହେଉଛି। ଆସନ୍ତାକାଲି (ମାର୍ଚ୍ଚ ୧୧) ଠାରୁ ଓଡ଼ିଶାର ତାପମାତ୍ରା ୪ରୁ ୬ ଡିଗ୍ରି ଆହୁରି ବଢ଼ିବ ବୋଲି ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ କେନ୍ଦ୍ର ପୂର୍ବାନୁମାନ କରିଛି। ଏହା ସହ ଦକ୍ଷିଣ ଓଡ଼ିଶା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ମଧ୍ୟ ସକ୍ରିୟ ରହିଛି। ଯାହା ଫଳରେ ଆଜି ଓଡ଼ିଶାର କେତେକ ସ୍ଥାନରେ ହାଲୁକା ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଆଇଏମଡି କହିଛି।

ଆଇଏମଡି ପୂର୍ବାନୁମାନ ଅନୁଯାୟୀ, ଓଡ଼ିଶାରେ ଚଳିତ ବର୍ଷ ଯେମିତି ଖରା ହେବ, ସେତିକି ମାତ୍ରାରେ ବର୍ଷା ହେବ। ଜୁଲାଇରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ୩ ମାସରେ ସାଧାରଣଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଯାହା ଦ୍ୱାରା ଗରମରୁ ଟିକେ ଲାଘବ ମିଳିବ।