ଶ୍ରୀକ୍ଷେତ୍ର ସେବାୟତମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ସ୍ୱାସ୍ଥ୍ୟ ବୀମା ରାଶି ପରିମାଣ ୨ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି ଗୁରୁତର ରୋଗ କ୍ଷେତ୍ରରେ ଅତିରିକ୍ତ ୫ ଲକ୍ଷ ଟଙ୍କା ମିଳିବ। ବିଭିନ୍ନ କଲ୍ୟାଣ ଯୋଜନା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ରାଜ୍ୟ ସରକାର ଦେଲେ ୧୦.୮୫ କୋଟି ଟଙ୍କା।
ସିଭିଲ ସର୍ଭିସ କୋଚିଂ ପାଇଁ ୫୦ ହଜାର ଟଙ୍କାର ସହାୟତା ପାଇବେ ସେବାୟତଙ୍କ ପରିବାରର ଛାତ୍ରଛାତ୍ରୀ
ଭୁବନେଶ୍ବର, ୧୨/୦୩/୨୦୨୪: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ସେବାୟତମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ଘୋଷଣା କରିଛନ୍ତି। ଏଥିରେ ବିଭିନ୍ନ ଭତ୍ତା ପରିମାଣ ଓ ସ୍ୱାସ୍ଥ୍ୟ ବୀମାରେ ବୃଦ୍ଧି କରାଯାଇଥିବା ବେଳେ ପରିବାରର ଛାତ୍ରଛାତ୍ରୀଙ୍କ ପ୍ରବେଶିକା ପରୀକ୍ଷା ପାଇଁ କୋଚିଂ ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହି ସବୁ କଲ୍ୟାଣ ଯୋଜନା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାର୍ଯ୍ୟକାରୀ କରାଯାଉଛି।
ସୂଚନାଯୋଗ୍ୟ ଯେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ପାଇଁ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଅନେକ ଥର ପୁରୀ ଗସ୍ତ କରିଛନ୍ତି । ଏହି ଅବସରରେ ସେବାୟତମାନେ ସେମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ତାଙ୍କୁ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ଏ ବିଷୟରେ ଅବଗତ ହେବା ପରେ ସେବାୟତମାନଙ୍କ କଲ୍ୟାଣ ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି।
ଘୋଷଣା ଅନୁଯାୟୀ ଶ୍ରୀ ଜଗନ୍ନାଥଙ୍କ ସେବାୟତ ଓ ତାଙ୍କ ପରିବାର ପାଇଁ ଉଦ୍ଦିଷ୍ଟ ସ୍ୱାସ୍ଥ୍ୟ ବୀମା ଯୋଜନାରେ ପୂର୍ବରୁ ଦିଆଯାଉଥିବା ବୀମା ରାଶି ପରିମାଣକୁ ୨ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଗୁରୁତର ରୋଗର ଚିକିତ୍ସା ପାଇଁ ଅତିରକ୍ତ ୫ ଲକ୍ଷ ଟଙ୍କା ସହାୟତା ଦିଆଯିବ।
ସେହିଭଳି ସେବାୟତ ପରିବାରର ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ପ୍ରବେଶିକା ପରୀକ୍ଷା ଯଥା ନିଟ୍, ଜେଇଇ ଓ ସିଭିଲ ସର୍ଭିସ କୋଚିଂ ପାଇଁ ବ୍ୟବସ୍ଥା ବାବଦରେ ବର୍ଷକୁ ୫୦ ହଜାର ଟଙ୍କା ହିସାବରେ ସର୍ବାଧିକ ୩ ଥର ସହାୟତା ଯୋଗାଇ ଦିଆଯିବ।
ସେବାୟତମାନଙ୍କୁ ଦିଆଯାଉଥିବା ବିଭିନ୍ନ ବର୍ଦ୍ଧିତ ଭତ୍ତା, ସ୍ୱାସ୍ଥ୍ୟ ବୀମା ରାଶି, କୋଚିଂ ସହାୟତା ଓ ଅନ୍ୟାନ୍ୟ ସହାୟତା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ରାଜ୍ୟ ସରକାର ୧୦.୮୫ କୋଟି ଯୋଗାଇ ଦେଇଛନ୍ତି।