ବାବା ରାମଦେବଙ୍କୁ ସୁପ୍ରିମକୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ

ପତଞ୍ଜଳି ବିଜ୍ଞାପନକୁ ନେଇ ବାବା ରାମଦେବ ଓ ଆଚାର୍ଯ୍ୟ ବାଲକୃଷ୍ଣଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ରୁଜୁ ହୋଇପାରେ ଅବମାନନା ମାମଲା

ନୂଆଦିଲ୍ଲୀ,୧୯/୦୩/୨୦୨୪: ପତଞ୍ଜଳି ଆୟୁର୍ବେଦର ବିଭ୍ରାନ୍ତିକର ବିଜ୍ଞାପନକୁ ନେଇ ବାବା ରାମଦେବ ଓ ଏହାର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକୃଷ୍ଣଙ୍କ ବିରୋଧରେ ଅବମାନନା ମାମଲାରେ କାରଣ ଦର୍ଶାଅ ନୋଟିସର ଜବାବ ଦାଖଲ କରିନଥିବାରୁ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଜଷ୍ଟିସ୍ ହିମା କୋହଲି ଏବଂ ଜଷ୍ଟିସ୍ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ପତଞ୍ଜଳି ଆୟୁର୍ବେଦ ଏବଂ ଏହାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଚେତାବନୀ ଦେଇଛନ୍ତି ଯେ, ପୂର୍ବ ବର୍ଷ ନଭେମ୍ବର ୨୧ତାରିଖର ପ୍ରତିଶ୍ରୁତି ଅନୁଯାୟୀ କୌଣସି ଔଷଧ ପ୍ରଣାଳୀକୁ ସମାଲୋଚନା କରୁଥିବା ପ୍ରିଣ୍ଟ କିମ୍ବା ଇଲେକ୍ଟ୍ରୋନିକ୍ ଫର୍ମାଟରେ କୌଣସି ଗଣମାଧ୍ୟମ ବିବୃତି ଜାରି ନ କରନ୍ତୁ। ଏବଂ କୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କଲେ ଅବମାନନା ମାମଲା ରୁଜୁ ହେବ ବୋଲି ଖଣ୍ଡପୀଠ ଚେତାବନୀ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଗତ ଫେବୃଆରୀ ୨୭ରେ ସୁପ୍ରିମକୋର୍ଟ ପତଞ୍ଜଳି ଆୟୁର୍ବେଦକୁ ବିଭ୍ରାନ୍ତିକର ବିଜ୍ଞାପନ ପାଇଁ ସମାଲୋଚନା କରିବା ସହ ଏଭଳି ଭ୍ରମାତ୍ମକ ବିଜ୍ଞାପନ ପ୍ରସାରିତ ଉପରେ ପ୍ରତିବନ୍ଧକ ଲଗାଇଥିଲେ।