ଭିଜିଲାନ୍ସ ପଞ୍ଝାରେ ପ୍ରଧାନ ଶିକ୍ଷକ ଓ ବିଭିଓ

କଳାହାଣ୍ଡି ଜିଲ୍ଲାର ଏକ ସ୍କୁଲର ପ୍ରଧାନଶିକ୍ଷକ ଓ ଦେବଗଡ଼ ଜିଲ୍ଲାର ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଲାଞ୍ଚ ନେଇ ଗିରଫ ହୋଇଛନ୍ତି।

ଲାଞ୍ଚ ନେଇ ଗିରଫ ହେଲେ

ଭୁବନେଶ୍ବର,୨୧/୦୩/୨୦୨୪: ଆଜି ଦୁଇଟି ପୃଥକ ସ୍ଥାନରେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଜଣେ ପ୍ରଧାନଶିକ୍ଷକ ଓ ଅନ୍ୟ ଜଣେ ବିଭିଓ। କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମକରଗୁଡ଼ାସ୍ଥିତ ତ୍ରିଶକ୍ତି ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଲାଞ୍ଚ ନେଉଥିବା ଅଭିଯୋଗରେ ଆଜି ଭିଜିଲାନ୍ସ ଆଜି ଗିରଫ କରିଛି।

ବିଦ୍ୟାଳୟର ଏକ ନୂଆ ବିଲ୍ଡିଂ ନିର୍ମାଣ ନେଇ ଚାଲିଥିବା ବିଲ୍ ପୈଠ କରିବା ପାଇଁ ଜଣେ ଠିକାଦାରଙ୍କଠାରୁ ୪୦ ହଜାର ଟଙ୍କା ମାଗିଥିଲେ ପ୍ରଧାନ ଶିକ୍ଷକ ଦ୍ରୋଣ କୁମାର ତାଣ୍ଡି। ଏବଂ ସେହି ଲାଞ୍ଚ ଟଙ୍କାକୁ ନିଜ ବ୍ୟାଙ୍କ ଆକାଉଣ୍ଟରେ ଜମା କରିବାକୁ ଅଭିଯୁକ୍ତ ଠିକାଦାରଙ୍କୁ କହିଥିଲେ। ଟଙ୍କା ଜମା କରିବା ପରେ ଠିକାଦାର ୪୦ ହଜାର ଟଙ୍କା ଜମା ସ୍ଲିପ୍ ହେଡ୍ ମାଷ୍ଟରଙ୍କୁ ହସ୍ତାନ୍ତର କରିଥିଲେ। ସେହି ସମୟରେ ଭିଜିଲାନ୍ସ ଅଧିକାରୀମାନେ ପହଞ୍ଚି ଧରିଥିଲେ। ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଦ୍ରୋଣଙ୍କ ସହ ଜଡିତ ଏକାଧିକ ସ୍ଥାନରେ ଚଢ଼ାଉ ଜାରି ରହିଛି।

ସେହିପରି ଦେବଗଡ଼ ଜିଲ୍ଲାରେ ଜଣେ କୁକୁଡ଼ା ଚାଷୀଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ରେମାଳର ଜଣେ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ଭିଜିଲାନ୍ସ ଗିରଫ କରିଛି। ଗାଁ କୁକୁଡ଼ା ଫାର୍ମ ନିର୍ମାଣରେ ବକେୟା ସବସିଡି ବିଲ୍ ପ୍ରଦାନ ପାଇଁ ଜଣେ କୁକୁଡ଼ା ଚାଷୀଙ୍କ ଠାରୁ ସମ୍ପତ୍ତି ଯାଞ୍ଚ ରିପୋର୍ଟ ଦାଖଲ ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ବିଭିଓ ସୁସ୍ମିତା ସେଠୀ। ଭିଜିଲାନ୍ସ ଅଧିକାରୀମାନେ ଅଭିଯୁକ୍ତଙ୍କ ଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରିବା ସହ ବିଭିଓଙ୍କ ସହ ଜଡ଼ିତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି।