ଅକାଳ ବିୟୋଗରେ ରାଜନୀତି ଜଗତର ମହାଦ୍ରୁମ ଦାମ ରାଉତ

ଆଜି ଭୋର ୫ଟା ୩୦ ସୁଦ୍ଧା ବିଶିଷ୍ଟ ରାଜନୀତିଜ୍ଞ ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ପରଲୋକ ଘଟିଛି।

ଭୁଶୁଡିଲା ଜଗତସିଂହପୁର ରାଜନୈତିକ ଖୁମ୍ବ

ଭୁବନେଶ୍ବର, ୨୨/୦୩/୨୦୨୪: ଆଉ ନାହାନ୍ତି ଓଡିଶା ରାଜନୀତିର ମହାଦ୍ରୁମ। ରାଜନୀତି ଜଗତରେ ସୃଷ୍ଟି ହୋଇଗଲା ଏକ ଅପୂରଣୀୟ କ୍ଷତି। ଆରପାରିରେ ବିଚୀକ୍ଷଣ ରାଜନୀତିଜ୍ଞ ତଥା ବାକ୍ୟ ବାଣ ଭାବେ ପରିଚିତ ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତ।

ଆଜି ଭୋର ୫ଟା ୨୩ରେ ୮୩ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିବାର ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି। ଦୀର୍ଘ ଦିନ ଧରି କିଡନୀଜନିତ ସମସ୍ୟାରେ ପୀଡିତ ଥିଲେ ଦାମୋଦର ରାଉତ। ଗତ ୧୮ ତାରିଖ ବିଳମ୍ବିତ ରାତିରେ ଗୁରୁତର ଅସୁସ୍ଥ ହୋଇପଡିବା ପରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା। କିନ୍ତୁ ସେଠାରେ ସ୍ୱାସ୍ଥ୍ୟ ଅଧିକ ବିଗିଡି ଯିବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା।

ଘରୋଇ ହସ୍ପିଟାଲକୁ ନେବା ଭିତରେ ବ୍ରେନକୁ ବ୍ଲଡ ଓ ଅକ୍ସିଜେନ୍ ସପ୍ଲାଇ କମିଯାଇଥିଲା। ଯାହାଫଳରେ ସେ ବ୍ରେନ ଡେଡ୍ ହୋଇ ଯାଇଥିଲେ। ପରେ ଆଜି ଭୋର ତାଙ୍କର ମୃତ୍ୟୁ ଘଟିଛି।

ଦାମଙ୍କ ମରଶରୀରକୁ ଆଜି ପ୍ରଥମେ ୟୁନିଟ ୬ସ୍ଥିତ ସରକାରୀ ବାସଭବନକୁ ନିଆଯାଇଥିଲା। ଏହାପରେ ତାଙ୍କୁ ବିଜେଡି କାର୍ଯ୍ୟାଳୟ ଶଙ୍ଖ ଭବନକୁ ନିଆଯାଇଥିଲା। ସେଠାରେ ବିଜେଡିର କାହିଁ କେଉଁ ଆଡୁ ଦାସଙ୍କ ଶେଷ ଦର୍ଶନ ପାଇଁ ବହୁ ନେତାଙ୍କର ସୁଅ ଛୁଟିଛି। ଏହାପରେ ପାର୍ଥିବ ଶରୀରକୁ ବିଧାନସଭାକୁ ନିଆଯିବ। ସେଠାରେ ବିଧାୟକମାନେ ତାଙ୍କ ଶେଷ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିବେ। ସେଠାରୁ ଦାମଙ୍କ ମରଶରୀରକୁ ପାରାଦୀପ ନିର୍ବାଚନ ମଣ୍ଡଳୀକୁ ନିଆଯିବ। ଏହାପରେ ରାତିରେ ପୁରୀରେ ଶେଷକୃତ୍ୟ ସମ୍ପନ୍ନ ହେବ।

ଦାମଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସମେତ ବିଭିନ୍ନ ନେତା ଓ ମନ୍ତ୍ରୀମାନେ ଶୋକ ପ୍ରକାଶ କରିଛନ୍ତି।