ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କଲା ଇଡି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଦ ଦୁର୍ନୀତି ମାମଲାରେ ଗିରଫ କରିଛି।

ଶୁଣାଣି ପାଇଁ ସୁପ୍ରିମକୋର୍ଟରେ ଆବେଦନ କଲା ଆପ୍

ନୂଆଦିଲ୍ଲୀ, ୨୧/୦୩/୨୦୨୪: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗୁରୁବାର ଗିରଫ କରିଛି। ମଦ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ ସଂକ୍ରାନ୍ତରେ ଆପ୍ ସୁପ୍ରିମୋଙ୍କୁ ଅନ୍ତରୀଣ ଜାମିନ ଦେବାକୁ ଦିଲ୍ଲୀ ହାଇକୋର୍ଟ ମନା କରିବାର କିଛି ଘଣ୍ଟା ପରେ ଏହି ଘଟଣା ଘଟିଛି। କେଜ୍ରିୱାଲଙ୍କୁ ଇଡି ୯ ଥର ସମନ ଜାରି କରିବା ସତ୍ତ୍ୱେ ସେ ଇଡିରେ ହାଜର ହୋଇନଥିଲେ।

ସନ୍ଧ୍ୟାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀମାନେ କେଜ୍ରିୱାଲଙ୍କ ସିଭିଲ ଲାଇନ୍ସ ବାସଭବନରେ ପହଞ୍ଚି ତାଙ୍କୁ ସମନ ଜାରି କରିଥିଲେ। ତଦନ୍ତକାରୀ ସଂସ୍ଥା ତାଙ୍କ ବାସଭବନରେ ଚଢ଼ାଉ କରି ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମ୍ଏଲ୍ଏ)ର ଧାରା ୫୦ ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ବୟାନ ରେକର୍ଡ କରିଛି। ୨ ଘଣ୍ଟା ଧରି ପଚରାଉଚରା ପରେ ଇଡି କେଜ୍ରିୱାଲଙ୍କୁ ଗିରଫ କରିଛି। ଆଜି ରାତିରେ ହିଁ ଶୁଣାଣି ପାଇଁ ଆପ୍ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି।