ଦାମଙ୍କ ବିୟୋଗରେ ମ୍ରିୟମାଣ ସାରା ଓଡ଼ିଶା: ରାଷ୍ଟ୍ରପତିଙ୍କ ଶୋକ ପ୍ରକାଶ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଦେଶର କୋଣ ଅନୁକୋଣରୁ ଶୋକର ଛାୟା ଖେଳିଯାଇଛି।

ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୨୨/୦୩/୨୦୨୪: ଓଡ଼ିଶା ରାଜନୀତି ଜଗତରେ କେବଳ ଦାମୋଦର ରାଉତଙ୍କ ନାମ ହିଁ ଯଥେଷ୍ଟ। ସେ ତାଙ୍କ ବାଣୀରେ ମାରୁଥିଲେ ବାଣ। ଜଣେ ସତ୍ ସାହାସୀ ଓ ସ୍ପଷ୍ଟବାଦୀ ନେତା। କୌଣସି କଥାକୁ ପ୍ରକାଶ କରିବାରେ ମନରେ ରଖୁନଥିଲେ ଭୟ। ଏଥିପାଇଁ ବିବାଦ ଯେମିତି ତାଙ୍କ ପିଛା ଛାଡୁ ନଥିଲା। ବିବାଦ ପାଇଁ ରାଜନୈତିକ ମହଲରେ ସୃଷ୍ଟି କରୁଥିଲେ ଝଡ। କିନ୍ତୁ ସେ ଥିଲେ ଜଣେ ଟାଣୁଆ ନେତା। ସାଲିସବିହୀନ ଯୋଦ୍ଧା ଭାବରେ ମଧ୍ୟ ତାଙ୍କୁ ଜଣାଯାଏ। କେବଳ ରାଜନୀତି ନୁହେଁ, ସେ ସାହିତ୍ୟ ସମ୍ପାଦକୀୟ କ୍ଷେତ୍ରରେ ମଧ୍ୟରେ ନିଜର ଛାପ ଛାଡି ଯାଇଛନ୍ତି ଦାମ।

୧୯୭୭ ମସିହାରୁ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ଦାମ ରାଉତ। ସେ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଜଣେ ପ୍ରାଣୀ ଚିକିତ୍ସକ ଭାବରେ କାର୍ଯ୍ୟ କରିଥିଲେ। ପରେ ଚାକିରି ଛାଡି ଜନତା ଦଳରୁ ଟିକେଟ ପାଇ ରାଜନୀତିରେ ପାଦ ଥାପିଥିଲେ। ସେ ଏରସମାରୁ ୫ ଥର ଏବଂ ପାରାଦ୍ୱୀପରୁ ୨ ଥର ବିଧାୟକ ଥିଲେ ଦାମ। ୧୯୫୭, ୧୯୬୧, ୧୯୬୭ ଓ ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଏରସମା ଓ ପାରାଦ୍ୱୀପ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୭ମ, ୮ମ, ୧୦ମ, ୧୨ଶ, ୧୩ଶ, ୧୪ଶ ଓ ୧୫ଶ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହା ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟ, ବିଜୁ ପଟ୍ଟନାୟକ ଓ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ସରକାରରେ ବିଭିନ୍ନ ବିଭାଗରେ ଏକାଧିକ ଥର ମନ୍ତ୍ରୀ ଥିଲେ। ବିଭିନ୍ନ ସମୟରେ ସେ ପଞ୍ଚାୟତିରାଜ, ମହିଳା ଓ ଶିଶୁ ବିକାଶ, ମତ୍ସ୍ୟ ଓ ପଶୁପାଳନ, ସଂସ୍କୃତି, ଯୋଜନା ଓ ସମନ୍ୱୟ, ଅବକାରୀ ଓ କୃଷି ବିଭାଗ ଦାୟିତ୍ୱ ସମ୍ଭାଳିଥିଲେ।

ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ସେ ଜନତା ଦଳରେ ଥିଲେ ଏବଂ ପରବର୍ତ୍ତୀ ସମୟରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ତେବେ ୨୦୧୭ରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କୃତ ହେବା ପରେ ସେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀଙ୍କ ସହ ମିଶି ବିଜୁ ସମତାକ୍ରାନ୍ତି ଦଳ ନାମରେ ନିଜର ରାଜନୈତିକ ଦଳ ଗଠନ କରିଥିଲେ। ଦଳ ବେଶୀ ଦିନ ତିଷ୍ଠି ପାରିନଥିଲା। ଦାମୋଦର ୨୦୧୯ ବିଧାନସଭା ନିର୍ବାଚନରେ ବାଲିକୁଦାରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ି ତୃତୀୟ ସ୍ଥାନରେ ରହିଥିଲେ। ବିଜେପି ସହ ତାଙ୍କର ଯାତ୍ରା କିଛି ମାସ ଧରି ଚାଲିଥିଲା ଏବଂ ଚଳିତ ବର୍ଷ ଜାନୁଆରୀରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କ ବହିଷ୍କାର ପ୍ରତ୍ୟାହାର କରିଥିଲେ। ଦାମଙ୍କ ପୁଅ ସମ୍ବିତ ରାଉତରାୟ ମଧ୍ୟ ରାଜନୈତିକ ମହଲରେ ଜଣେ ଚର୍ଚ୍ଚିତ ଚେହେରା।

ଦାମଙ୍କ ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ଆଜି ତାଙ୍କର ପରଲୋକ ଘଟିଛି। ଦାମଙ୍କ ବିୟୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୋକ ପ୍ରକାଶ କରି କହିଛନ୍ତି, ଓଡ଼ିଶା ଏବଂ ଦେଶର ଉନ୍ନତି ପାଇଁ ଦାମଙ୍କ ଅବଦାନ ସ୍ମରଣୀୟ। ପରିବାରବର୍ଗଙ୍କ ସହ ଅନୁଗାମୀଙ୍କୁ ସମବେଦନା ଜଣାଇଛନ୍ତି ରାଷ୍ଟ୍ରପତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହ ଦାମଙ୍କ ମରଶରୀରକୁ ଶେଷ ଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ଦାମୋଦର ରାଉତଙ୍କ ଦେହାନ୍ତ ଖବର ଶୁଣି ମୁଁ ମର୍ମାହତ। ଓଡ଼ିଶା ରାଜନୀତିରେ ଏହା ଏକ ଅପୂରଣୀୟ କ୍ଷତି। ଲୋକଙ୍କ ହେବା ତଥା ଉନ୍ନତି ପାଇଁ ତାଙ୍କ କାର୍ଯ୍ୟ ସର୍ବଦା ସ୍ମରଣୀୟ। ଅମର ଆତ୍ମାର ସଦଗତି କାମନା ସହ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିରୋଧୀ ନେତା ଜୟ ନାରାୟଣ ମିଶ୍ର, ବୈଜୟନ୍ତ ପଣ୍ଡା, ପ୍ରସାଦ ହରିଚନ୍ଦନ ଓ ନରସିଂହ ମିଶ୍ରଙ୍କ ସମେତ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ଦାମୋଦରଙ୍କ ପାର୍ଥିବ ଶରୀରକୁ ୟୁନିଟ-୬ ସ୍ଥିତ ବାସଭବନ, ବିଜେଡି କାର୍ଯ୍ୟାଳୟ ଓ ବିଧାନସଭାକୁ ନିଆଯାଇଥିଲା। ବିଧାନସଭା ପରିସରରେ ଦାମଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ଜଗତସିଂହପୁର ଜିଲ୍ଲାରେ ଥିବା ତାଙ୍କ ନିର୍ବାଚନ ମଣ୍ଡଳୀ କୁଜଙ୍ଗ ଓ ପାରାଦ୍ବୀପକୁ ନିଆଯିବ ଏବଂ ପରେ ସ୍ୱର୍ଗଦ୍ୱାର ନିଆଯାଇ ସେଠାରେ ଶେଷ କୃତ୍ୟ ସମ୍ପନ୍ନ କରାଯିବ।