ନିଆଁରେ ଘିଅ ଢାଳିଲେ ଭର୍ତ୍ତୃହରି, ତେରଛା ବାଣ ମାରିଲେ ବବି

ଦୀର୍ଘ ଦିନ ଧରି ମେଣ୍ଟ ଚର୍ଚ୍ଚା ହେବା ପରେ ଏହାକୁ ନେଇ ସତ୍ୟତା ପ୍ରକାଶ କରିଛନ୍ତି ମନମୋହନ ସାମଲ।

ମେଣ୍ଟ ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଛେଦ!

ଭୁବନେଶ୍ବର, ୨୨/୦୩/୨୦୨୪: ସବୁ କଳ୍ପନାଜଳ୍ପନାର ହେଲା ଅନ୍ତ। ଦୀର୍ଘ ଦିନର ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଛେଦ। ରାଜ୍ୟରେ ହେବ ନାହିଁ ମେଣ୍ଟ ସରକାର। ବିଜେଡି଼-ବିଜେପି ମଧ୍ୟରେ ହେବ ନାହିଁ ମେଣ୍ଟ। ରାଜ୍ୟରେ ବେଶ୍ କିଛି ଦିନ ଧରି ଲାଗିଥିବା ଏହି ଚର୍ଚ୍ଚାରେ ଫୁଲ ଷ୍ଟପ ପକାଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ସାଂସଦ ଅପରାଜିତା ଷଡ଼ଙ୍ଗୀ। ଆଉ ଏହି ନିଆଁରେ ଘିଅ ଢାଳିଛନ୍ତି ଏବେ ଏବେ ବିଜେଡି ଛାଡିଥିବା ସାଂସଦ ଭର୍ତ୍ତୃହରି ମହତାବ।

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, “ଗତ ୧୦ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ବିଜୁ ଜନତା ଦଳ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କୁ ରାଷ୍ଟ୍ରୀୟ ମହତ୍ୱ ଥିବା ଅନେକ ପ୍ରସଙ୍ଗରେ ସମର୍ଥନ କରିଆସୁଛି। ଏଥିପାଇଁ ଆମେ ତାଙ୍କୁ ଧନ୍ୟବାଦ ଜଣାଉଛୁ। ସମଗ୍ର ଦେଶରେ ଯେଉଁସବୁ ରାଜ୍ୟରେ ଡବଲ ଇଞ୍ଜିନ ସରକାର ରହିଛି ସେଠାରେ ବିକାଶ ଓ ଗରିବ କଲ୍ୟାଣର କାର୍ଯ୍ୟସବୁ ତ୍ୱରାନ୍ୱିତ ହୋଇଛି। କିନ୍ତୁ ଆଜି ଓଡିଶାରେ ମୋଦି ସରକାରଙ୍କ ଅନେକ କଲ୍ୟାଣକାରୀ ଯୋଜନା ତୃଣମୂଳ ସ୍ତରକୁ ପହଂଚି ପାରୁନାହିଁ। ଓଡ଼ିଆ-ଅସ୍ମିତା, ଓଡ଼ିଶାର ଗୌରବ ଏବଂ ଓଡ଼ିଶାବାସୀଙ୍କ ସ୍ୱାର୍ଥ ସହ ଜଡିତ ଅନେକ ପ୍ରସଙ୍ଗରେ ଆମେ ରାଜ୍ୟ ସରକାରଙ୍କ ସହ ସହମତ ହୋଇ ପାରୁନାହୁଁ। ସାଢ଼େ ଚାରି କୋଟି ଓଡ଼ିଆଙ୍କ ଆଶା, ଅଭିଳାଷ ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ଏକ ବିକଶିତ ଭାରତ ତଥା ବିକଶିତ ଓଡ଼ିଶା ଗଠନ ନିମନ୍ତେ ଭାରତୀୟ ଜନତା ପାର୍ଟି ଏଥର ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଏକାକୀ ଲଢ଼ିବ।”

ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଗଣମାଧ୍ୟମରେ ତାଙ୍କ ମନ୍ତବ୍ୟ ରଖି କହିଛନ୍ତି, “ରାଜ୍ୟରେ ବିଜେପି ସହିତ ମେଣ୍ଟ କରିବାକୁ ବିଜେଡି କରିଥିଲା ନିବେଦନ। କିନ୍ତୁ ବିଜେପି ବିଜେଡିର ନିବେଦନକୁ ପ୍ରତ୍ୟାଖ୍ୟାନ କରିଛି। ଏଥର ବିଜେପି ୧୪୭ ବିଧାନସଭା ଆସନ ଓ ୨୧ ଲୋକସଭା ଆସନରେ ବିଜେପି ଏକାକୀ ଲଢିବ। ଯାହାକି ଭାରତୀୟ ଜନତା ପାର୍ଟିର ସମସ୍ତ କାର୍ଯ୍ୟକର୍ତ୍ତା ଓ ଓଡ଼ିଶାବାସୀ ଚାହୁଁଥିଲେ।”

ସେହିପରି ଏହି ମେଣ୍ଟକୁ ଖଣ୍ଡନ କରିଥିବା ବିଜେପି ନେତାଙ୍କ ମନ୍ତବ୍ୟ ପରେ ନିଆଁରେ ଘିଅ ଢାଳିଛନ୍ତି ଗତ କିଛି ସମୟ ପୂର୍ବରୁ ବିଜେଡିରୁ ଇସ୍ତଫା ଦେଇଥିବା ସାଂସଦ ଭର୍ତ୍ତୃହରି ମହତାବ। ଭର୍ତ୍ତୃହରି ମହତାବ ଆଜି ବିଜେଡିରୁ ଇସ୍ତଫା ଦେବା ପରେ ପ୍ରେସ ମିଟରେ କହିଥିଲେ, “ବିଜେଡି ଓ ବିଜେପି ମଧ୍ୟରେ ଏକ ଅନୈତିକ ମେଣ୍ଟ ହେବାକୁ ଯାଉଥିଲା। ମେଣ୍ଟ ହେଲାନାହିଁ, ଏହା ଗଣତନ୍ତ୍ର ପାଇଁ ଏକ ଶୁଭ ସଂକେତ।”

ଏତେ ସବୁ ଆଲୋଚନା ପର୍ଯ୍ୟାଲୋଚନା ପରେ ସୋସିଆଲ ମିଡିଆ ସାଇଟରେ ବିରୋଧୀଙ୍କୁ ତେରଛା ବାଣ ମାରିଛନ୍ତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ପ୍ରଣବ କହିଛନ୍ତି, “ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଓ ଓଡ଼ିଶାବାସୀଙ୍କ ଆସ୍ଥା ବଳରେ ବିଜେଡି ରାଜ୍ୟର ସେବା କରିବା ସହ ସବୁ କ୍ଷେତ୍ରରେ ବ୍ୟାପକ ରୂପାନ୍ତରଣ ଆଣିଛି। ବିଜେଡି ସମସ୍ତ ଆସନରେ ଲଢ଼ିବ। ବିଜେଡି ସମସ୍ତ ୨୧ ଲୋକସଭା ଆସନ, ୧୪୭ ବିଧାନସଭା ଆସନରେ ଲଢ଼ିବ। ଲୋକଙ୍କ ସମର୍ଥନରେ ନବୀନଙ୍କ ନେତୃତ୍ୱରେ ବିଜେଡି ତିନି ଚତୁର୍ଥାଂଶ ସିଟ୍‌ ପାଇବ। ରାଷ୍ଟ୍ର ଗଠନ ପାଇଁ ସହକାରୀ ସଂଘବାଦ ଓ ରାଷ୍ଟ୍ରନୀତିଜ୍ଞତା ମନୋଭାବ ସହିତ ଓଡିଶାବାସୀଙ୍କୁ ସବୁବେଳେ ଆଗଧାଡିରେ ରଖି ସେମାନଙ୍କ କଲ୍ୟାଣ ପାଇଁ ବିଜେଡି ନିଷ୍ପତ୍ତି ନେବ।”