ଭଲ ଖବର, ସୁସ୍ଥ ହେଲେ ଦେଶର ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ

ନୂଆଦିଲ୍ଲୀ: କେରଳରେ ଚିହ୍ନଟ ‌ହୋଇଥିବା ଦେଶର ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେ ତିରୁଅନନ୍ତପୁରମର ସରକାରୀ ମେଡିକାଲ୍‌ କଲେଜ୍‌‌ରେ ଚିକିତ୍ସିତ ହେଉଥିଲେ। କେରଳର କୋଲାମ ଜିଲ୍ଲାର ୩୫ ବର୍ଷୀୟ ଏହି ବ୍ୟକ୍ତି ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ଓ ସେ ଖୁବ୍‌ ଶୀଘ୍ର ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବେ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ସୂଚନା ଦେଇଛନ୍ତି।

ଏହା ଦେଶର ପ୍ରଥମ ମଙ୍କିପକ୍ସ ମାମଲା ହୋଇଥିବାରୁ ସୁରକ୍ଷା ଦୃଷ୍ଟିରୁ ୭୨ ଘଣ୍ଟା ବ୍ୟବଧାନରେ ୨ ଥର ପରୀକ୍ଷା କରାଯାଇଛି ଓ ରିପୋର୍ଟ ନେଗେଟିଭ୍‌ ଆସିଛି। ବ୍ୟକ୍ତି ଜଣକ ଉଭୟ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ଅଛନ୍ତି ଓ ତାଙ୍କ ଶରୀରରେ ମଙ୍କିପକ୍ସର କୌଣସି ପ୍ରକାରର ଚିହ୍ନ ମଧ୍ୟ ନାହିଁ।

ତାଙ୍କ ପରିବାର ଲୋକଙ୍କର ବି ପରୀକ୍ଷା କରାଯାଇଛି। ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ଏହା ଛଡ଼ା ମନ୍ତ୍ରୀ ଆହୁରି ବି ସୂଚନା ଦେଇଛନ୍ତି ଯେ କେରଳର ଅନ୍ୟ ୨ ମଙ୍କିପକ୍ସ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ବି ଭଲ ରହିଛି। ସେମାନେ ବି ଖୁବ୍‌ ଶୀଘ ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ଆଶା କରାଯାଉଛି।