ବିଜେପିରେ ମିଶିଲେ ଭର୍ତ୍ତୃହରି-ସିଦ୍ଧାନ୍ତ

ସାଂସଦ ଭର୍ତ୍ତୃହରି ମହତାବ ଓ ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ବିଜେପିରେ ଯୋଗ ଦେଇଛନ୍ତି।

ଦିଲ୍ଲୀ ଯାଇ ଧରିଲେ ପଦ୍ମ

ଭୁବନେଶ୍ବର, ୨୮/୦୩/୨୦୨୪: ସବୁ କଳ୍ପନାଜଳ୍ପନାର ଅବସାନ ଘଟିଲା। ଆଜି ସିଦ୍ଧାନ୍ତ ଓ ଭର୍ତ୍ତୃହରି ବିଜେପିରେ ଯୋଗ ଦେବା ନେଇ ଜୋର ଚର୍ଚ୍ଚା ଧରିଥିଲା। ସବୁ ଚର୍ଚ୍ଚାର ଅନ୍ତ ଘଟାଇ ଆଜି ବିଜେପିରେ ଯୋଗ ଦେଲେ ସାଂସଦ ଭର୍ତ୍ତୃହରି ମହତାବ, ଅଭିନେତା ସିଦ୍ଧାନ୍ତ ମହାପାତ୍ର ଓ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା। ଦିଲ୍ଲୀ ଗସ୍ତରେ ଯାଇ ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ତିନିଜଣ ପଦ୍ମ ଧରିଛନ୍ତି।

ଗତ ୨୨ ତାରିଖରେ ଭର୍ତ୍ତୃହରି ବିଜେଡିରୁ ଇସ୍ତଫା ଦେଇଥିଲେ। ଲଗାତାର ୬ ଥର ଭର୍ତ୍ତୁହରି କଟକ ଲୋକସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇ ସାଂସଦ ରହିଥିଲେ। ୨୦୧୭ରେ ସେ ଆଉଟଷ୍ଟାଣ୍ଡିଂ ପାର୍ଲାମେଣ୍ଟାରିଆନ ଆୱାର୍ଡ ପାଇଥିବା ବେଳେ ୨୦୧୭, ୨୦୧୮, ୨୦୧୯ ଓ ୨୦୨୦ରେ ସଂସଦ ରତ୍ନ ଆୱାର୍ଡରେ ସମ୍ମାନୀତ ହୋଇଛନ୍ତି।

ସେହିଭଳି ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ମଧ୍ୟ ପଦ୍ମ ଧରିଛନ୍ତି। ସିଦ୍ଧାନ୍ତ ବ୍ରହ୍ମପୁରରୁ ଦୁଇ ଥର ବିଜେଡି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୯ ଓ ୨୦୧୪ ସାଧାରଣ ନିର୍ବାଚନରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଚନ୍ଦ୍ରଶେଖର ସାହୁଙ୍କୁ ପରାସ୍ତ କରିଥିଲେ। ତେବେ ୨୦୧୯ ନିର୍ବାଚନରେ ବିଜେଡି ସିଦ୍ଧାନ୍ତ ମହାପାତ୍ରଙ୍କୁ ଟିକେଟ୍ ଦେଇନଥିଲା।

ସେହିପରି ମୟୂରଭଂଜ ଜିଲ୍ଲାର ଆଦିବାସୀ ଚେହେରା ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା ବି ବିଜେପିରେ ସାମିଲ ହୋଇଛନ୍ତି। ଖବର ମୁତାବକ, ଭର୍ତ୍ତୃହରିଙ୍କୁ ବିଜେପି କଟକ ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିପାରେ। ସିଦ୍ଧାନ୍ତଙ୍କୁ କନ୍ଧମାଳରୁ ସାଂସଦ ଭାବେ ପ୍ରାର୍ଥୀ କରିପାରେ ବିଜେପି।