ପଦ୍ମ ଧରିବେ ସିଦ୍ଧାନ୍ତ-ଅନୁଭବ!

ଆଜି ସାଂସଦ ଭର୍ତ୍ତୃହରି ମହତାବ ବିଜେପିରେ ଯୋଗ ଦେଇ ପାରନ୍ତି।

କନ୍ଧମାଳରୁ ସାଂସଦ ଭାବେ ଛିଡା ହେବେ ସିଦ୍ଧାନ୍ତ!

ଭୁବନେଶ୍ବର, ୨୮/୦୩/୨୦୨୪: ବିଜେଡି କରୁଛି ଅଣଦେଖା। ସଠିକ୍ ଲୋକଙ୍କୁ ମିଳୁନି ସଠିକ୍ ଚର୍ଚ୍ଚା। ଦିନେ ଯିଏ ଥିଲେ ଷ୍ଟାର ପ୍ରଚାରକ, ଆଜି ସିଏ ଅଲୋଡ଼ା। ଓଡ଼ିଶାରେ ରାଜନୀତି ଓ ଓଲିଉଡ ଇଣ୍ଡଷ୍ଟ୍ରି ଉଭୟ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ପରି। ନିର୍ବାଚନ ଆସିଲେ ରାଜନୈତିକ ଦଳର ମନେ ପଡେ ଓଲିଉଡ ଇଣ୍ଡଷ୍ଟ୍ରିର ବଡ ବଡ ସେଲିବ୍ରିଟି। ଷ୍ଟାର ପ୍ରଚାରକ ଭାବେ ଓଲିଉଡରୁ ଦଳ ଗୋଟେଇ ଆଣେ ସେଲିବ୍ରିଟି। କିଏ କେଉଁଠି ସାଜିବେ ଷ୍ଟାର କ୍ୟାମ୍ପେନର ତାକୁ ନେଇ ବାହାରେ ତାଲିକା। ଆଉ ସାଧାରଣ ଜନତା ମଧ୍ୟ ଉତ୍ସାହିତ ଥାଆନ୍ତି ଯେ, ସେହି ଷ୍ଟାର ପ୍ରଚାରକଙ୍କୁ ଦେଖିବା ପାଇଁ। ହେଲେ, ଏବେ ଆଉ ମିଳୁନି ସେ ଉତ୍ସାହ। ଏବେ ଦିନକୁ ଦିନ ଷ୍ଟାର ପ୍ରଚାରକ ତାଲିକାରୁ କଟୁଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରି। ଆଉ ଦେଖିବାକୁ ମିଳୁନି ସେ ଚମକ।

ସେହିପରି ନିର୍ବାଚନ ଜିତିବା ପାଇଁ ରାଜନୈତିକ ଦଳ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଅଭିନେତା ଓ ଅଭିନେତ୍ରୀଙ୍କୁ ଟିକେଟ ଦେଇ ପ୍ରାର୍ଥୀ କରନ୍ତି। ସାଧାରଣ ଜନତା ଫିଲ୍ମ ଇଣ୍ଡଷ୍ଟ୍ରିର ସେଲିବ୍ରିଟିଙ୍କୁ ମଧ୍ୟ ଅତି ସହଜରେ ଗ୍ରହଣ କରନ୍ତି। କାରଣ ଚଳଚ୍ଚିତ୍ରରେ ସବୁବେଳେ ଦେଖୁଥିବା ସେହି ଚେହେରା ଓ ଚରିତ୍ରକୁ ସତ ବୋଲି ଭାବି ଭୋଟ ଦିଅନ୍ତି ଏବଂ ଜିତାନ୍ତି ମଧ୍ୟ। ଆଉ ଦଳ ବିପୁଳ ଭୋଟରେ ଜିତି ଲୋକଙ୍କ ପାଇଁ କାମ କରିବାକୁ ପ୍ରତିଶ୍ରୁତି ଦିଅନ୍ତି। ହେଲେ, ନିର୍ବାଚନ ସରିବା ପରେ ସତେ ଯେମିତି ଅଲୋଡ଼ା ହୋଇ ଯାଆନ୍ତି ଏହି ସେଲିବ୍ରିଟି। କିଛି ବର୍ଷ ଯାଏ ଆଉ ଦେଖା ସାକ୍ଷାତ୍ ମିଳେନି। ଧିରେ ଧିରେ ଷ୍ଟାର କ୍ୟାମ୍ପେନର ତାଲିକାରୁ ବାଦ ପଡୁଛନ୍ତି ଏବଂ ପରେ ନିର୍ବାଚନ ଲଢିବା ପାଇଁ ଟିକେଟ ମିଳୁନି କି ତାଙ୍କ କାର୍ଯ୍ୟକୁ ଯଥା ସମ୍ମାନ ମିଳୁନି। ଏବେ ଅଧିକାଂଶ ସେଲିବ୍ରିଟିଙ୍କ ଗୋଟିଏ ଅଭିଯୋଗ, ଦଳରେ ତାଙ୍କ କାର୍ଯ୍ୟକୁ ମର୍ଯ୍ୟାଦା ମିଳୁନି। ଏଭଳି ମତାନ୍ତର ଓ ମନାନ୍ତର ପାଇଁ ଗୋଟିଏ ଦଳ ଛାଡି ଅନ୍ୟ ଦଳକୁ ଡେଉଁଛନ୍ତି ଅଭିନେତା ଓ ଅଭିନେତ୍ରୀ। ଗତ କିଛି ଦିନ ତଳେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ମିଶିଥିଲେ ଓଲିଉଡ ଅଭିନେତା ଅରିନ୍ଦମ ରାୟ।

୨୦୦୯ ମସିହାରେ ବିଜେଡିରେ ମିଶିଥିବା ଓଲିଉଡ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଛି। ପୂର୍ବତନ ସାଂସଦ ସିଦ୍ଧାନ୍ତ ଏ ଯାଏ ବିଜେଡିରୁ ଇସ୍ତଫା ଦେଇ ନାହାନ୍ତି। କିନ୍ତୁ ସେ ବିଜେପିରେ ମିଶିବାର ଅନେକ ସମ୍ଭାବନା ଅଛି ଏବଂ କନ୍ଧମାଳରୁ ବିଜେପି ଟିକେଟରୁ ସାଂସଦ ଭାବେ ଛିଡା ହେବେ ବୋଲି ମଧ୍ୟ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଯଦି ଏହି ଚର୍ଚ୍ଚା ସତ ହୁଏ, ତାହାଲେ କନ୍ଧମାଳ ପାଇଁ ବିଜେଡିର ଲୋକସଭା ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କୁ ଟକ୍କର ଦେବେ ସିଦ୍ଧାନ୍ତ। ସେହିପରି କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ମଧ୍ୟ ବିଜେପିରେ ମିଶି ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏହି ଦୁଇ ନେତା ବିଧିବଦ୍ଧ ଭାବେ ଏ ନେଇ କୌଣସି ପ୍ରକାର ଘୋଷଣା କରିନଥିଲେ ବି ଖୁବ ଶୀଘ୍ର ବିଜେଡିରୁ ଇସ୍ତଫା ଦେଇପାରନ୍ତି ବୋଲି ସୂଚନା ମିଳିଛି। ନିକଟରେ ଦୋଳପୂର୍ଣ୍ଣିମା ଅବସରରେ ଭର୍ତ୍ତୃହରି ମହତାବଙ୍କ ସହ ଅନୁଭବ ମହାନ୍ତିଙ୍କୁ ଦେଖିବାକୁ ମିଳିଥିଲା। ଯାହା ପରେ ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି। ଆଜି ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ସାଂସଦ ଭର୍ତ୍ତୃହରି ମହତାବ ବିଜେପିରେ ଯୋଗ ଦେଇ ପାରନ୍ତି।