ଭିଜିଲାନ୍ସ ଜାଲରେ ଛନ୍ଦି ହେଉଛନ୍ତି ଅଧିକାରୀ

ଆଜି ଭିଜିଲାନ୍ସ ପକ୍ଷରୁ ୩ ଜଣଙ୍କୁ ଲାଞ୍ଚ ମାଗିବା ଓ ନେବା ଅଭିଯୋଗରେ ଗିରଫ କରାଯାଇଛି।

ଗୋଟିଏ ଦିନରେ ୩ ଗିରଫ

ଭୁବନେଶ୍ବର, ୨୮/୦୩/୨୦୨୪: ଭିଜିଲାନ୍ସ ଜାଲରେ ଛନ୍ଦି ହେଉଛନ୍ତି ଜଣକ ପରେ ଜଣେ ଅଧିକାରୀ। ଆଜି ଗୋଟିଏ ଦିନରେ ହିଁ ତିନି ଜଣଙ୍କୁ ଗିରଫ କରିଛି ଭିଜିଲାନ୍ସ।

ଜମି ଅଧିଗ୍ରହଣ ପାଇଁ ଫାଇଲ୍ ପ୍ରକ୍ରିୟା କରିବା ପାଇଁ ଜଣେ ଅଭିଯୋଗକାରୀଙ୍କଠାରୁ ୪ ହଜାର ଟଙ୍କା ଲାଞ୍ଚ ମାଗିବା ଓ ଗ୍ରହଣ କରିବା ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ପାରାଦୀପର ସ୍ୱତନ୍ତ୍ର ଜମି ଅଧିଗ୍ରହଣ କାର୍ଯ୍ୟାଳୟର ରାଜସ୍ବ ସୁପରଭାଇଜର ଗଣେଶ ମଲ୍ଲିକ ଓ ଆଉ ଜଣେ ବ୍ୟକ୍ତି କ୍ଷୀରୋଦ ରଥଙ୍କୁ ଗିରଫ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଦୃଷ୍ଟିରୁ ଅଭିଯୁକ୍ତଙ୍କ ସହ ଜଡ଼ିତ ଗୋଟିଏ ସ୍ଥାନରେ ଏକକାଳୀନ ଚଢ଼ାଉ ଆରମ୍ଭ କରିଛି ଭିଜିଲାନ୍ସ।

ସେହିପରି ପୁରୀ ଏନଫୋର୍ସମେଣ୍ଟ ୟୁନିଟର ଜଣେ ସିଟିଓ ତଥା ଜିଏସଟି ଅଫିସର ମାନସ ରଞ୍ଜନ ବେହେରାଙ୍କୁ ଭିଜିଲାନ୍ସ ଗିରଫ କରିଛି। ଗାଡ଼ି ଛାଡ଼ିବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ମାନସଙ୍କ ନିକଟରୁ ସମ୍ପୂର୍ଣ୍ଣ ୩୦ ହଜାର ଟଙ୍କା ଲାଞ୍ଚ ରାଶି ଜବତ କରାଯାଇଛି। ଆୟ ବହିର୍ଭୂତ ଦୃଷ୍ଟି କୋଣରୁ ଅଧିକାରୀଙ୍କ ସହ ଜଡ଼ିତ ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି।