ରାଜନୀତି ହାଲଚାଲରେ ଉଷ୍ମତା: କଂଗ୍ରେସ ନେତା ସୁରେନ୍ଦ୍ର ଭୋଇ ବିଜେଡିର ଲୋକସଭା ପ୍ରାର୍ଥୀ!

ରାଜ୍ୟ ରାଜନୀତିରେ ଏବେ ପରିବାର ଭିତରେ ଚାଲିଛି ଦଳ ଅଦଳବଦଳ।

ବିଜେପିରେ ମିଶିବେ ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର!

ଭୁବନେଶ୍ବର, ୨୮/୦୩/୨୦୨୪: ଚଳିତ ବର୍ଷ ନିର୍ବାଚନରେ ରାଜ୍ୟ ରାଜନୀତି ରହିଛି ସରଗରମ। ବାପା ଗୋଟିଏ ଦଳରେ ଥିବା ବେଳେ ପୁଅ କିନ୍ତୁ ଅନ୍ୟ ଦଳରେ। ସ୍ୱାମୀ ଗୋଟିଏ ଦଳରେ ଆଉ ସ୍ତ୍ରୀ ଅନ୍ୟ ଦଳରେ। ଚଳିତ ବର୍ଷର ନିର୍ବାଚନ ପାଇଁ ରାଜନୀତିରେ ଦଳ ଭିତରେ ଲଢେଇ ହେବା ପରିବର୍ତ୍ତେ ପରିବାର-ପରିବାର ମଧ୍ୟରେ ଲଢେଇ ହେବ ବୋଲି ସ୍ପଷ୍ଟ ଜଣା ପଡୁଛି। ପରିବାରର ମୁଖ୍ୟ ଗୋଟିଏ ଦଳରେ ଥିବା ବେଳେ ତାଙ୍କ ପରବର୍ତ୍ତୀ ପିଢି ମୁଖିଆଙ୍କୁ ଅନୁସରଣ ନକରି ନିଜ ଇଚ୍ଛାରେ ନିଜ ଦଳ ବାଛୁଛନ୍ତି। ଯେଉଁଥିପାଇଁ ରାଜନୈତିକ ଉଷ୍ମତା ବୃଦ୍ଧି ପାଉଛି।

ଗତ ୧୭ ତାରିଖରେ ପାରାଦୀପ ନିର୍ବାଚନ ମଣ୍ଡଳୀର ଟାଣୁଆ ନେତା ବାପି ସର୍ଖେଲଙ୍କ ସ୍ତ୍ରୀ ମୋନିଦୀପା ସର୍ଖେଲ ବିଜେଡିରେ ମିଶିଥିଲେ। ସେ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ବିଜେଡିରେ ମିଶିଛନ୍ତି। ସେହିପରି ଗତ ୨୭ ତାରିଖରେ ବିଜେଡିରେ ମିଶିଥିଲେ କଂଗ୍ରେସର ବରିଷ୍ଠ ନେତା ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ। ଯାହା ପରେ ଚର୍ଚ୍ଚା ଜୋର ଧରିଲା। ତା’ପରେ ଦୀର୍ଘ ୪ ଦଶନ୍ଧିରୁ ଅଧିକ ସମୟ କଂଗ୍ରେସ ସହ ନିବିଡ ଭାବେ ସଂଶ୍ଲିଷ୍ଟ ଥିବା ସୁର ମଧ୍ୟ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ସୁର କହିଲେ, “ପୁଅର ଏପରି ନିଷ୍ପତ୍ତି ମୋ ସ୍ୱାଭିମାନ ଓ ଅନ୍ତରାତ୍ମାକୁ ଆଘାତ ଦେଇଛି। ଏଣୁ ବିବେକ ଦୃଷ୍ଟିରୁ ମୁଁ ସମସ୍ତ କମିଟିରୁ ଇସ୍ତଫା ଦେଉଛି। ମୁଁ ସମସ୍ତ କମିଟିରୁ ଇସ୍ତଫା ଦେଇଥିଲେ ମଧ୍ୟ ଦଳରେ ରହିବି ଓ ଜୀବନ ଥିବା ଯାଏ ସେ କଂଗ୍ରେସରେ ରହିବେ। ମୋ ଆତ୍ମା କେବେ ବି କଂଗ୍ରେସରୁ ଅଲଗା ହେବ ନାହିଁ। ଏହା ସହିତ ମୋ ଭୋଟ ଅନ୍ୟ ଦଳକୁ ଯିବ ନାହିଁ। ସେ ଆହୁରି ମଧ୍ୟ କହିଥିଲେ ଯେ, ତାଙ୍କ ସାନପୁଅ ମନ୍ମଥକୁ ଯେତେ ବୁଝାଇଥିଲେ ମଧ୍ୟ ସେ ମୋ କଥା ଶୁଣି ନ ଥିଲା। ଶେଷରେ ସେ ତା’ ଇଚ୍ଛାରେ ବିଜେଡିରେ ସାମିଲ ହୋଇଥିଲା।

ଆଜି ଆହୁରି ଏକ ଖବର ସାମନାକୁ ଆସିଛି, ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର ବିଜେପିରେ ମିଶିବେ। ଏହା କେବଳ ଚର୍ଚ୍ଚା ନା ଏହା ସତ ହେବାକୁ ଯାଉଛି ବୋଲି ଚାରିଆଡେ ଆଲୋଚନା ଜୋର ଧରିଛି। ଏହାରି ମଧ୍ୟରେ କଂଗ୍ରେସକୁ ଲାଗିଛି ଆଉ ଏକ ଝଟକା। ବରିଷ୍ଠ କଂଗ୍ରେସ ନେତା ତଥା ବଲାଙ୍ଗୀର ଜିଲ୍ଲା ସଭାପତି ସୁରେନ୍ଦ୍ର ସିଂହ ଭୋଇ ଆଜି ହାତକୁ ବିଦାୟ ଦେଇଛନ୍ତି। ଦୀର୍ଘ ୩୮ ବର୍ଷ କଂଗ୍ରେସରେ ରହିବା ପରେ ଆଜି ଏଆଇସିସି ସଭାପତିଙ୍କ ନିକଟକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ସେ ବିଜେଡିରେ ଖୁବ ଶୀଘ୍ର ମିଶିବେ ଏବଂ ବିଜେଡି ତାଙ୍କୁ ବଲାଙ୍ଗୀର ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିବ। ଏହି ଚର୍ଚ୍ଚା କଂଗ୍ରେସ ପାଇଁ ନିହାତି ଭାବରେ ଚିନ୍ତାଜନକ ନିଶ୍ଚୟ।