୪୦ ଡିଗ୍ରୀ ଛୁଇଁବ ତାପମାତ୍ରା

ଶୁକ୍ରବାର ଅପରାହ୍ନ ସାଢ଼େ ୨ଟା ବେଳକୁ ରାଜ୍ୟରେ ପାରଦ ୩୯ ଡିଗ୍ରି ଅତିକ୍ରମ କରିବା ସହ ପ୍ରବଳ ଗରମ ଅନୁଭୂତ ହୋଇଛି।

ଉପରମୁହାଁ ପାରଦ

ଭୁବନେଶ୍ବର, ୨୯/୦୩/୨୦୨୪: ରାଜ୍ୟରେ ଅସମ୍ଭାଳ ତାତି ଅନୁଭୂତ ହେଉଛି। ଉପରମୁହାଁ ହୋଇ ବଢି ଚାଲିଛି ପାରଦ। ଆସନ୍ତା ୪ ରୁ ୫ ଦିନ ମଧ୍ୟରେ ଆହୁରି ତାତି ବଢିବ। ଶୁକ୍ରବାର ଅପରାହ୍ନ ସାଢ଼େ ୨ଟା ବେଳକୁ ରାଜ୍ୟରେ ୩୯ ଡିଗ୍ରୀ ଛୁଇଁଛି ପାରଦ। ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଅଞ୍ଚଳର ଜିଲ୍ଲାଗୁଡ଼ିକର ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୩୮ରୁ ୪୦ ଡିଗ୍ରି ଏବଂ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ୩୬ରୁ ୩୮ ଡିଗ୍ରି ମଧ୍ୟରେ ରହିବ ବୋଲି ଆଇଏମଡି ପୂର୍ବାନୁମାନ କରିଛି।

ଆଇଏମଡିର ସୂଚନା ଅନୁଯାୟୀ, ଅପରାହ୍ନ ସାଢ଼େ ୨ଟା ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୩୯.୧ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଚାନ୍ଦବାଲିରେ ୩୮.୪, ରାଉରକେଲାରେ ୩୭.୫, ଭୁବନେଶ୍ୱର ଓ କେନ୍ଦୁଝରରେ ୩୭.୪ ଓ ବାଲେଶ୍ୱରରେ ୩୫ ଡିଗ୍ରି ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ଆସନ୍ତା ଦୁଇ ଦିନ ମଧ୍ୟରେ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ଛୁଇଁପାରେ।