ଓଡ଼ିଶା ପାଳୁଛି ୮୯ତମ ଉତ୍କଳ ଦିବସ

୧୯୩୬ ମସିହା ଏପ୍ରିଲ ପହିଲାରେ ରାଜ୍ୟ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠିତ ହୋଇଥିଲା।

ସାରା ଦେଶରୁ ଛୁଟୁଛି ଶୁଭେଚ୍ଛାର ସୁଅ

ଭୁବନେଶ୍ବର, ୦୧/୦୪/୨୦୨୪: ଆଜି ସାରା ଓଡ଼ିଶା ପାଳୁଛି ୮୯ତମ ଉତ୍କଳ ଦିବସ। ୧୯୩୬ ମସିହା ଏପ୍ରିଲ ପହିଲାରେ ରାଜ୍ୟ ମାନ୍ୟତା ପାଇଥିଲା ଓଡ଼ିଶା। ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ହେବାରେ ମଧ୍ୟ ଓଡ଼ିଶାର ବୀରମାନଙ୍କୁ ବହୁ ସଂଘର୍ଷ କରିବାକୁ ପଡ଼ିଥିଲା। ଓଡ଼ିଆ ବୀରମାନଙ୍କ ସଂଘର୍ଷକୁ ସ୍ମରଣ କରି ସାରା ଓଡ଼ିଶା ଆଜି ଉତ୍କଳ ଦିବସ ପାଳନ କରୁଛି। ସବୁ ବର୍ଷ ଏପ୍ରିଲ ପହିଲାରେ ସାରା ରାଜ୍ୟରେ ଓ ପ୍ରବାସୀ ଓଡ଼ିଆମାନେ ଉତ୍ସାହର ସହ ଏହି ଦିବସ ପାଳନ କରିଥାନ୍ତି ।

୮୮ ବର୍ଷ ପୂର୍ବେ ଆଜିର ଦିନରେ ଭାଷା ଭିତ୍ତିରେ ଗଠିତ ଓଡ଼ିଶା ଭାରତର ପ୍ରଥମ ସ୍ୱାଧୀନ ରାଜ୍ୟ ହୋଇଥିଲା। ପୂର୍ବରୁ ଓଡ଼ିଶା ବଙ୍ଗଳା ପ୍ରଦେଶର ଏକ ଅଂଶ ଥିଲା ଏବଂ ତିନି ଦଶନ୍ଧି ଧରି ବୈପ୍ଳବିକ ପ୍ରୟାସ ପରେ ଏହି ଅଞ୍ଚଳକୁ ଏକ ସ୍ୱାଧୀନ ରାଜ୍ୟ ଭାବରେ ଘୋଷଣା କରାଯାଇଥିଲା। ସମଗ୍ର ଓଡ଼ିଶାରେ ଉତ୍କଳ ଦିବସ ବେଶ ଉତ୍ସାହର ସହ ପାଳନ କରାଯାଏ।

ଏହି ଅବସରରେ ଓଡିଶାବାସୀଙ୍କୁ ଛୁଟିଛି ଶୁଭେଚ୍ଛାରେ ସୁଅ। ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଓ ଓଡିଶାର ମୁଖ୍ୟମନ୍ତ୍ରୀ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟ୍ବିଟ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଜଗନ୍ନାଥ ମନ୍ଦିର, ଲିଙ୍ଗରାଜ, କୋଣାର୍କ ଭଳି ଅନେକ ଅନ୍ୟାନ୍ୟ ସମୃଦ୍ଧ ଐତିହ୍ୟର ମନ୍ଦିରର ଏହି ଭୂମିରେ ଭରି ରହିଛି। ଶତାବ୍ଦୀ ଶତାବ୍ଦୀ ଧରି ଆଧୁନିକ ଭାରତର ନିର୍ମାତାମାନଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ଜନ୍ମ ଦେଇଛି ଓଡ଼ିଶା। ଅଧିକରୁ ଅଧିକ ସଫଳତା ଓ ସମୃଦ୍ଧି ପାଇଁ ରାଜ୍ୟ ଓ ରାଜ୍ୟବାସୀଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଆଶୀର୍ବାଦ କରନ୍ତୁ, ଏହା ମୋର ଆନ୍ତରିକ କାମନା।

ସେହିପରି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଓଡ଼ିଶା ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍କଳ ଦିବସ ଅବସରରେ ଶୁଭେଚ୍ଛା ଜଣାଇ କହିଛନ୍ତି, ରାଷ୍ଟ୍ରର ପ୍ରଗତିରେ ଓଡ଼ିଶାର ଉଲ୍ଲେଖନୀୟ ଯୋଗଦାନ ରହିଛି। ଓଡ଼ିଶାବାସୀଙ୍କ ସଫଳତା ଓ ସମୃଦ୍ଧି କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡ଼ିଆ ସାଇଟ ଏକ୍ସରେ ଲେଖିଛନ୍ତି, ଓଡ଼ିଶା ସବୁ କ୍ଷେତ୍ରରେ ଗୌରବମୟ ଇତିହାସ ରଚନା କରୁଛି। ପ୍ରତ୍ୟେକ ଓଡ଼ିଆଙ୍କ ପ୍ରତିବଦ୍ଧତା ଯୋଗୁଁ ଓଡ଼ିଶା ସମୃଦ୍ଧ ହୋଇପାରିଛି। ପରିବର୍ତ୍ତନର ଏହି ଯୁଗକୁ ଦୃଷ୍ଟିରେ ରଖି ଏକ ‘ବିକଶିତ ଓଡ଼ିଶା’ ଗଠନର ଚିନ୍ତାଧାରା ହେଉଛି ଓଡ଼ିଆର ଚିନ୍ତାଧାରା। ଏହି ‘ଓଡ଼ିଶା ଦିବସ’ରେ ଆମେ ଆମ ଅସ୍ମିତା ଓ ସ୍ୱାଭିମାନକୁ ସୁଦୃଢ଼ କରିବା ସହ ‘ବିକଶିତ ଓଡ଼ିଶା’ ଗଠନ ଦିଗରେ ଆଗକୁ ବଢ଼ିବା।”