ତତଲା ନିଆଁରେ ଜଳୁଛି ଓଡ଼ିଶା

ରାଜ୍ୟରେ ପ୍ରବଳ ଖରା ହେଉଥିବା ବେଳେ ଆଜି ଦିନର ତାପମାତ୍ରା ୪୨ ଡିଗ୍ରୀ ଛୁଇଁଛି।

୬ ଯାଏଁ ଆହୁରି ସିଝେଇବ ଖରା

ଭୁବନେଶ୍ବର, ୦୩/୦୪/୨୦୨୪: ତତଲା ନିଆଁରେ ଜଳୁଛି ସାରା ଓଡ଼ିଶା। ଗ୍ରୀଷ୍ମର ପ୍ରଭାବ ଏତେ ଯେ, ସକାଳ ୯ଟା ବେଳକୁ ମଧ୍ୟ ଘରୁ ବାହାରି ହେଉନାହିଁ। ଆଗକୁ ଆହୁରି ଗ୍ରୀଷ୍ମର ପ୍ରଭାବ ଯୋଗୁଁ ଅସହ୍ୟ ହେବ ତାତି। ବୁଧବାର ସର୍ବାଧିକ ତାପମାତ୍ରା ୪୨ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ଆଗାମୀ ଦିନରେ ସ୍ଥିତି ଆହୁରି ଖରାପ ହେବାର ସମ୍ଭାବନା ରହିଛି। ଆସନ୍ତାକାଲିଠୁ ୬ ତାରିଖ ଯାଏଁ ଦିନର ତାପମାତ୍ରା ଆହୁରି ୩ରୁ ୪ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି।

ଏପରିକି ରାତିରେ ମଧ୍ୟ ଗରମ ବଢିବ ବୋଲି ଆଇଏମଡି ଚେତାବନୀ ଦେଇଛି। ଏପ୍ରିଲ ୬ ସୁଦ୍ଧା ପଶ୍ଚିମ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୩ ଡିଗ୍ରୀ ଅତିକ୍ରମ କରିବାର ସମ୍ଭାବନା ରହିଛି। ଆଜି ଓଡ଼ିଶାର ୬ଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ମୟୂରଭଞ୍ଜ ଓ କେନ୍ଦୁଝରରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଇଏମଡି।

ସକାଳ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବାହାରକୁ ନବାହାରିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ସେହିପରି ଏପ୍ରିଲ ୬ରୁ ୮ ତାରିଖ ମଧ୍ୟରେ ଓଡ଼ିଶାର ଅନେକ ସ୍ଥାନରେ କାଳବୈଶାଖୀ ଅନୁଭୂତ ହେବା ସହ ବଜ୍ରପାତ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଯାହା ଦ୍ୱାରା ଗରମରୁ ଆଶ୍ୱସ୍ତି ମିଳିବାର ଆଶା କରାଯାଉଛି।