ବିଜେପି ଛାଡିଲେ ଭୃଗୁ

ବିଜେପିରୁ ଇସ୍ତଫା ଦେଇଛନ୍ତି ରାଜ୍ୟ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର।

ବିଜେଡି ଟିକେଟରେ ବ୍ରହ୍ମପୁର ଆସନରୁ ଲଢିବେ!

ଭୁବନେଶ୍ବର, ୦୩/୦୪/୨୦୨୪: ବିଜେପିକୁ ପୁଣି ଏକ ଝଟକା। ଦଳ ଛାଡିଲେ ଜଣେ ବଡ ନେତା। ବିଜେପିରୁ ଇସ୍ତଫା ଦେଲେ ଭୃଗୁ। ରାଜ୍ୟ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।

ଦଳର ସଭାପତି ମନମୋହନ ସାମଲଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି ଭୃଗୁ। ଇସ୍ତଫା ପତ୍ରରେ ଭୃଗୁ ଲେଖିଛନ୍ତି, ମୁଁ ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ୟପଦରୁ ଇସ୍ତଫା ଦେଉଛି ଏବଂ ୨୩ ବର୍ଷ ଧରି ଜଣେ ସଦସ୍ୟ ଭାବେ ମୁଁ ରାଜ୍ୟରେ ବିଜେପିର ବିକାଶ ପାଇଁ ଯଥାସମ୍ଭବ ପ୍ରୟାସ କରିଛି ଏବଂ ମୋତେ ଦିଆଯାଇଥିବା ପ୍ରତ୍ୟେକ ଦାୟିତ୍ୱକୁ କାର୍ଯ୍ୟକାରୀ କରିଛି। ତଥାପି ବିଜେପିକୁ ଆଉ ମୋର ଆବଶ୍ୟକତା ନାହିଁ ବୋଲି ମୁଁ ଅନୁଭବ କରୁଛି। ମୁଁ ଆଗକୁ ବଢ଼ିବାକୁ ନିଷ୍ପତ୍ତି ନେଇଛି। ଓଡ଼ିଶାବାସୀଙ୍କ ସେବା ଜାରି ରଖିବି ଏବଂ ଆମ ରାଜ୍ୟର ବିକାଶ ପାଇଁ କାର୍ଯ୍ୟ କରିବି।”

ଉଲ୍ଲେଖଯୋଗ୍ୟ ଯେ, ଭୃଗୁ ବକ୍ସିପାତ୍ର ୨୦୧୯ରେ ବ୍ରହ୍ମପୁର ଲୋକସଭା ଆସନରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ୨୦୨୪ ନିର୍ବାଚନରେ ବିଜେଡିରୁ ବିଜେପିରେ ଯୋଗ ଦେଇଥିବା ପ୍ରଦୀପ ପାଣିଗ୍ରାହୀଙ୍କୁ ବ୍ରହ୍ମପୁର ଲୋକସଭା ଆସନରୁ ଲଢିବା ପାଇଁ ଟିକେଟ ଦିଆଯାଇଥିଲା। ଯାହା ଫଳରେ କ୍ଷୋଭ ପ୍ରକାଶ କରିଛନ୍ତି ଭୃଗୁ। ସେହିପରି ବିଜେଡିରେ ମିଶି ପାରନ୍ତି ବୋଲି ସୂଚନା ମିଳିଛି। ଆଜି ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ। ତେଣୁ ବ୍ରହ୍ମପୁର ଲୋକସଭା ଆସନ ପାଇଁ ଭୃଗୁଙ୍କୁ ବିଜେଡି ପ୍ରାର୍ଥୀ କରି ପାରେ ବୋଲି ସୂଚନା ମିଳିଛି।