ବିଜେଡିରୁ ତଡା ଖାଇଥିବା ନେତା ଏବେ ବିଜେପିର ପୋଷ୍ଟର ବଏ: ବିଜେଡି

ପ୍ରଶାନ୍ତ ଜଗଦ୍ଦେବ ଓ ପ୍ରଦୀପ ପାଣିଗ୍ରାହୀ ଏବେ ବିଜେପିର ଆଶାବାଡି।

ଅପରାଧରେ ଲିପ୍ତ ନେତାଙ୍କୁ କୋଳେଇ ନେଉଛି ବିଜେପି: ବିଜେଡ଼ି

ଭୁବନେଶ୍ୱର, ୧୫/୦୪/୨୦୨୪: ବିଜେପିର ନେତା ଓ ପ୍ରାର୍ଥୀଙ୍କ ଗୁଣ୍ଡାଗର୍ଦ୍ଦି ଉପରେ ପ୍ରବଳ ବର୍ଷିଛି ବିଜେଡି। ଲଗାତାର କିଛି ଦିନ ହେବ, ବିଜେପି ପ୍ରାର୍ଥୀଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ଦ୍ଵାରସ୍ଥ ହେଉଥିବା ବେଳେ ଆଜି ସାମ୍ବାଦିକ ସମ୍ମିଳନୀରେ ବର୍ଷିଛି ବିଜେଡି। ଅପରାଧିକ କାର୍ଯ୍ୟକଳାପ ପାଇଁ ବିଜେଡିରୁ ବିତାଡିତ ହୋଇଥିବା ପ୍ରଶାନ୍ତ ଜଗଦେବଙ୍କ ଭଳି ନେତା, ନିଜ ନିର୍ବାଚନ ମଣ୍ଡଳୀ ଲୋକଙ୍କୁ ଠକି ବିଦା ହୋଇଥିବା ପ୍ରଦୀପ ପାଣିଗ୍ରାହୀଙ୍କ ଭଳି ନେତା ଏବେ ଓଡିଶା ବିଜେପିର ପୋଷ୍ଟର ବଏ ସାଜିଥିବା କହିଛନ୍ତି ବିଜେଡି ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର।

ଶ୍ରୀ ମହାପାତ୍ର ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ପ୍ରଶାନ୍ତ ଜଗଦ୍ଦେବ ଯିଏ କି ଓଡିଶା ବିଜେପି କର୍ମୀଙ୍କ ଉପରେ ଗାଡି ଚଢାଇ ଜେଲ୍ ଯାଇଥିଲେ, ସେ ଏବେ ବିଜେପିର ତଥାକଥିତ ତୁଙ୍ଗ ନେତାଙ୍କ ମାର୍ଗଦର୍ଶକ ସାଜିଛନ୍ତି। ନିଜ କର୍ମୀଙ୍କୁ ଓଡିଶା ବିଜେପି ନେତାମାନେ କିଭଳି ମୁହଁ ଦେଖାଇ ପାରୁଛନ୍ତି ? ଖୋର୍ଦ୍ଧାରେ ସାମ୍ବାଦିକଙ୍କୁ ଆକ୍ରମଣ କରିବା, ମଦ୍ୟପାନ କରି ପୋଲିସ ଅଧିକାରୀଙ୍କୁ ଧମକାଇବା ଭଳି କାର୍ଯ୍ୟରେ ଏବେ ବି ଲିପ୍ତ ଅଛନ୍ତି ପ୍ରଶାନ୍ତ ଜଗଦ୍ଦେବ। ଏଭଳି କାମ ପାଇଁ ତାଙ୍କୁ କଣ ଓଡିଶା ବିଜେପି ଲାଇସେନ୍‌ସ ଦେଇଦେଇଛି କି ବୋଲି ବିଜେଡି ମୁଖପାତ୍ର ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି।

ସେହିଭଳି ପ୍ରଦୀପ ପାଣିଗ୍ରାହୀ ଯିଏ କି ନିଜ ଅଞ୍ଚଳର ଗରିବ ଯୁବକଙ୍କ ଠାରୁ ଚାକିରୀ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକି ଜେଲ୍ ଯାଇଥିଲେ, ବର୍ତମାନ ସେ ଅଫିସରଙ୍କୁ ଡରାଇବା, ଧମକାଇବା ଏବଂ ମହିଳାଙ୍କୁ ଅପମାନିତ କରିଚାଲିଛନ୍ତି। ଏଭଳି କାର୍ଯ୍ୟକୁ ପ୍ରଶୟ ଦେଇ ଚାଲିଛି ଓଡିଶା ବିଜେପି। ଉଭୟ ପ୍ରଦୀପ ପାଣିଗ୍ରାହୀ ଏବଂ ପ୍ରଶାନ୍ତ ଜଗଦେବ ସରକାରୀ ଅଧିକାରୀଙ୍କୁ ଡରାଇ ଧମକାଇବା ସହିତ ଆଶାକର୍ମୀ, ମିଶନ ଶକ୍ତି ମା’ଙ୍କୁ ନାଲିଆଖି ଦେଖାଇ ନିର୍ବାଚନକୁ ପ୍ରଭାବିତ କରିବାକୁ ଉଦ୍ୟମ କରୁଛନ୍ତି। ଯାହା ଆଦୌ ଗ୍ରହଣଯୋଗ୍ୟ ନୁହେଁ। ଏହାର ଅନେକ ନଜିର ସମସ୍ତଙ୍କ ସାମ୍ନାରେ ରହିଛି। ସବୁ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିବା ତଥା ଜେଲ ଫେରନ୍ତା ଏଭଳି ନେତା ଏବେ ଓଡିଶା ବିଜେପି ପାଇଁ ଆଶାବାଡି ସାଜିଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।