ରାଜ୍ୟ ସରକାରଙ୍କ ଅପାରଗତାକୁ ଦର୍ଶାଇଲେ କେନ୍ଦ୍ରମନ୍ତ୍ରୀ

ସୋସିଆଲ ମିଡ଼ିଆ ସାଇଟ ଏକ୍ସରେ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ।

ରାଜ୍ୟର ରୂପାନ୍ତରଣ ଉପରେ ଉଠାଇଲେ ପ୍ରଶ୍ନ

ଭୁବନେଶ୍ବର, ୧୫/୦୪/୨୦୨୪: ରାଜ୍ୟରେ ବିଶୁଦ୍ଧ ପାନୀୟ ଜଳର ଅଭାବ ଦେଖା ଦେଉଥିବା ଯୋଗୁଁ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୋସିଆଲ ମିଡ଼ିଆ ସାଇଟ ଏକ୍ସ ଜରିଆରେ ସେ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, କେବଳ ଘୋଷଣା କରିଦେଲେ ହେବ ନାହିଁ, ବରଂ ପ୍ରତିଶ୍ରୁତି ପାଳନ କରିବାକୁ ପଡେ।

ପୃଥକ ଭାବେ ଟ୍ୱିଟ କରି କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି, ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକର କାଦୋପଡା ପଞ୍ଚାୟତ ଅନ୍ତର୍ଗତ ମହୁପାଳ ଗ୍ରାମରେ ଅଧିକାଂଶ ଆଦିବାସୀ ଓ କନ୍ଧ ସମ୍ପ୍ରଦାୟର ଲୋକମାନେ ବସବାସ କରୁଥିବା ବେଳେ ସେମାନେ ସ୍ୱଚ୍ଛ ପାନୀୟ ଜଳ ଓ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ମୋଦି ସରକାରରେ ଗତ ୫ ବର୍ଷରେ ସମସ୍ତ ଘରକୁ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ଓଡିଶା ପାଇଁ ମୋଟ ୧୦,୨୧୭ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଏହା ସତ୍ତ୍ବେ ରାଜ୍ୟରେ ପାନୀୟ ଜଳର ବିକଟ ସମସ୍ୟା ଦେଖାଯିବା ରାଜ୍ୟ ସରକାରଙ୍କ ସାମର୍ଥ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସେହିପରି ସମ୍ବଲପୁର ରେଢ଼ାଖୋଲ ଅଞ୍ଚଳରେ ପାନୀୟ ଜଳ ପ୍ରକଳ୍ପ ଅଦ୍ୟାବଧି ଶେଷ ନ ହେବା ରାଜ୍ୟ ସରକାରଙ୍କ ଅପାରଗତା ଓ ମନମୁଖୀ ଶାସନକୁ ଦର୍ଶାଉଛି। ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବରୁ ଲୋକମାନେ ଆଜି ଅନେକ ଅସୁବିଧାର ସମ୍ମୁଖୀନ ହେବା ଏବଂ ଆଦିବାସୀମାନେ ସର୍ବନିମ୍ନ ମୌଳିକ ସୁବିଧା ପାଇନପାରିବା କ’ଣ ୨୫ ବର୍ଷ ଶାସନର ରୂପାନ୍ତରଣ ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ।