ଯାଜପୁର ସଡକ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ

ମୃତକଙ୍କ ନିକଟ ଆତ୍ମୀୟଙ୍କୁ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ସହ ଆହତଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ଆହତଙ୍କ ଚିକତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ

୫ ମୃତକଙ୍କ ଆତ୍ମୀୟଙ୍କୁ ମିଳିବ ସହାୟତା; ଆହତଙ୍କୁ ମାଗଣା ଚିକିତ୍ସା

ଭୁବନେଶ୍ବର,୧୫/୦୪/୨୦୨୪: ଯାଜପୁର ଜିଲ୍ଲାର ଏନ୍‌ଏଚ୍‌-୧୬ର ବାରବାଟୀ ଛକ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଭର ବ୍ରିଜ୍‌ରୁ ତଳକୁ ଖସିବା ଫଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଉଦ୍ଧାର କାର୍ଯ୍ୟରେ ଲାଗିଛି ୧୬ ଆମ୍ବୁଲାନ୍ସ ନିୟୋଜିତ ହେବା ସହ ବସ୍‌ ଉଠାଇବାକୁ କ୍ରେନର ସହାୟତା ନିଆଯାଇଛି।

ଏହି ଘଟଣାରେ ୫ ଜଣ ବ୍ୟକ୍ତି ପ୍ରାଣ ହରାଇବା ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ବ୍ୟକ୍ତିମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଏହାସହିତ ଆହତ ବ୍ୟକ୍ତି ମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।