ଯାଜପୁର ଦୁର୍ଘଟଣା: ଆହତଙ୍କୁ ଭେଟିଲେ ପାଣ୍ଡିଆନ

ଯାଜପୁର ଜିଲ୍ଲା ବାରବାଟୀ ଛକରେ ବସ ଦୁର୍ଘଟଣାରେ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି।

ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ନିର୍ଦ୍ଦେଶ

ଭୁବନେଶ୍ବର,୧୬/୦୪/୨୦୨୪: ଗତକାଲି ରାତିରେ ଯାଜପୁର ଜିଲ୍ଲା ବାରବାଟୀ ଛକ ନିକଟରେ ଘଟିଥିବା ଏକ ମର୍ମନ୍ତୁଦ ବସ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଏସସିବିରେ ଚିକିତ୍ସିତ ହେଉଥିବା ଲୋକଙ୍କୁ ଭେଟିଛନ୍ତି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍।

ସୂଚନାଯୋଗ୍ୟ, ଏକ ବସ୍ ଓଭର ବ୍ରିଜରୁ ତଳକୁ ଖସି ପଡ଼ିବାରୁ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ ଜଣ ଆହତ ହୋଇଥିଲେ। ଆହତମାନଙ୍କୁ କଟକର ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ୨୭ ଜଣଙ୍କୁ ଡିସଚାର୍ଜ କରାଯାଇଛି ଏବଂ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ, ଆହତମାନଙ୍କୁ ମାଗଣା ଚିକିତ୍ସା ଓ ଔଷଧ ଯୋଗାଇ ଦେବାକୁ ଡାକ୍ତରୀ ଟିମକୁ ନିର୍ଦ୍ଦେଶ ଦେଇଛନ୍ତି ପାଣ୍ଡିଆନ। ଏହା ସହ ରୋଗୀଙ୍କୁ ୨୪ ଘଣ୍ଟିଆ ସେବା ଯୋଗାଇ ଦେଇଥିବାରୁ ସେ ଡାକ୍ତରୀ ଟିମକୁ ଧନ୍ୟବାଦ ଜଣାଇଛନ୍ତି।

ପାଣ୍ଡିଆନଙ୍କ ଏସସିବି ମେଡିକାଲ ଗସ୍ତ ସମୟରେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, କଟକ ଜିଲ୍ଲାପାଳ ଅରିନ୍ଦମ ଡାକୁଆ, କଟକ ଡିସିପି ଅମିତାଭ ଠାକୁର, ଯାଜପୁର ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ଯାଜପୁର ଆରକ୍ଷୀ ଅଧୀକ୍ଷକ ତଥା ଏସସିବି ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।