ବିଜେଡ଼ିରେ ଯୋଗଦେଲେ ପୂର୍ବତନ ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ସନ୍ନ୍ୟାସୀ ପ୍ରଧାନ

ଶତାଧିକ ବିଜେପି କର୍ମୀ ବିଜେଡ଼ିରେ ସାମିଲ ହୋଇଛନ୍ତି।

ବିଜେଡିର ମିଶ୍ରଣ ପର୍ବ

ଭୁବନେଶ୍ୱର, ୨୦/୦୪/୨୦୨୪: ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନମଣ୍ଡଳୀର ପୂର୍ବତନ ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ସନ୍ନ୍ୟାସୀ ପ୍ରଧାନଙ୍କ ସମେତ ଶତାଧିକ ବିଜେପି କର୍ମୀ ଆଜି ଶଙ୍ଖଭବନଠାରେ ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଓ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ସନ୍ନ୍ୟାସୀ ପ୍ରଧାନଙ୍କ ସହ ସମସ୍ତ ବିଜେପି କର୍ମୀଙ୍କୁ ଶ୍ରୀ ସାହୁ, ଶ୍ରୀ ପ୍ରଧାନ ଓ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ ।

ଆଜି ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ରଣପୁର ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ସାହୁ, ଶ୍ରୀ ପ୍ରଧାନ ଓ ଡକ୍ଟର ପାତ୍ର କହିଥିଲେ । ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ସନ୍ନ୍ୟାସୀ ପ୍ରଧାନ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି । ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି ।

ଏହି ମିଶ୍ରଣ ପର୍ବରେ ନୟାଗଡ଼ ଜିଲ୍ଲାପରିଷଦ ସଭାପତି ଦେବାଶିଷ ପଟ୍ଟନାୟକ, ଜୋନ ୪ର ଜିଲ୍ଲାପରିଷଦ ସଦସ୍ୟ ସଂଯୁକ୍ତା ପାଢ଼ୀ, ଜୋନ ୩ର ଜିଲ୍ଲାପରିଷଦ ସଦସ୍ୟ ଚିନ୍ମୟ ଦାଶ, ରଣପୁର ଆତ୍ମା ସଂଘର ଅଧ୍ୟକ୍ଷା ନର୍ମଦା ରାୟ, ଜୋନ ୨୧ର ଜିଲ୍ଲାପରିଷଦ ସଦସ୍ୟ କିଶୋର ପଟ୍ଟନାୟକ, ବିଜେପି ମହିଳା ନେତ୍ରୀ ସ୍ମୀତା ସିଂହ, ସମିତି ସଭ୍ୟ ଭାଗବତ ସେଠୀ, ରଣପୁର ନିର୍ବାଚନ ମଣ୍ଡଳୀର ବିଜେପି କୃଷକ ମୋର୍ଚ୍ଚା ସଭାପତି ଜନାର୍ଦ୍ଦନ ଦଳବେହେରା, ସ୍ୱାଧୀନତା ସଂଗ୍ରାମୀ ପରିବାର ସଦସ୍ୟ ତ୍ରିନାଥ ବିଶ୍ୱାଳଙ୍କ ସହ ଶତାଧିକ ବିଜେପି କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ ।