ବିକାଶର ହିସାବ ବହି ଖୋଲିଲେ ପାଣ୍ଡିଆନ

ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉମରକୋଟ, ଝରିଗାଁ, ଡାବୁଗାଁ ଓ ପାପଡ଼ାହାଣ୍ଡିରେ ପାଣ୍ଡିଆନଙ୍କ ପ୍ରଚାର ଜୋରସୋର ଚାଲିଛି।

ଯୋଡି ଶଙ୍ଖରେ ଭୋଟ ଦେବାକୁ ଅପିଲ

ଭୁବନେଶ୍ବର, ୨୬/୦୪/୨୦୨୪: ନିର୍ବାଚନ ପାଇଁ ଜୋରଦାର ପ୍ରଚାର। ଶଙ୍ଖର ବିଜୟ ପାଇଁ ଜୋରଦାର କସରତ କରୁଛନ୍ତି ପାଣ୍ଡିଆନ। ଗତ କାଲି କୋରାପୁଟ ଜିଲ୍ଲାର ୪ଟି ବିଧାନସଭା ପଟାଙ୍ଗୀ, ଲକ୍ଷ୍ମୀପୁର, ବିଷମକଟକ ଓ ଗୁଣୁପୁରରେ ନିର୍ବାଚନ ପ୍ରଚାର କରିଥିବା ବେଳେ ଦଳର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜିତାଇବାକୁ ନିବେଦନ କରିଥିଲେ। ସେହିପରି ଆଜି ମଧ୍ୟ ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉମରକୋଟ, ଝରିଗାଁ, ଡାବୁଗାଁ ଓ ପାପଡ଼ାହାଣ୍ଡିରେ ପାଣ୍ଡିଆନଙ୍କ ପ୍ରଚାର କାର୍ଯ୍ୟକ୍ରମ ରହିଛି। ଗଲା ୫ ବର୍ଷ ଭିତରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଯୋଜନା ଓ ବିକାଶର ହିସାବ ବହି ଖୋଲିଛନ୍ତି ପାଣ୍ଡିଆନ।

ଉମରକୋଟରେ ଆୟୋଜିତ ଏକ ସାଧାରଣ ଜନ ସମାବେଶକୁ ପାଣ୍ଡିଆନ ଉଦବୋଧନ ଦେଇ କହିଛନ୍ତି ଯେ, ଉମରକୋଟରେ ୨୧୨ କୋଟି ଟଙ୍କାର ବିକାଶ କାମ ଚାଲିଛି। ଧାର୍ମିକସ୍ଥଳୀ ପେଣ୍ଡେରାଣୀ ମନ୍ଦିର କାମ ଶେଷ ହୋଇଛି ଓ ୩ କୋଟି ଟଙ୍କାରେ ଶିବ ମନ୍ଦିର ରାସ୍ତା ଚାଲିଛି। ସେହିପରି କିଡ୍‌ନୀ ରୋଗ ଚିକିତ୍ସା ପାଇଁ ଉମରକୋଟରେ ଡାଇଲିସିସ ସେଣ୍ଟର ଖୋଲିଛି। ୫୦ କୋଟିରେ ୫ଟି ରାସ୍ତା କାମ ଚାଲିଛି । ୫ କୋଟି ଟଙ୍କା ଭାସ୍କେଲ ଡ୍ୟାମ ପାଇଁ ମଞ୍ଜୁର କରାଯାଇଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଏସକେୱାଇରେ ଚିକିତ୍ସା ପାଇଁ ସିପ୍ରା ପାଇଲେ ୭ ଲକ୍ଷ ୨୦ ହଜାର, ପ୍ରଦୀପ ବାବୁ ୪ ଲକ୍ଷ ଟଙ୍କା। କିନ୍ତୁ ରାଜ୍ୟ ସରକାରଙ୍କ ବିଏସକେୱାଇ ଯୋଜନାକୁ ବନ୍ଦ କରିବାକୁ କେନ୍ଦ୍ରମନ୍ତ୍ରୀ ଚକ୍ରାନ୍ତ କରୁଛନ୍ତି। କେନ୍ଦ୍ର ନେତା କେବଳ ବଡ ବଡ କଥା କୁହନ୍ତି। ସେ ଚାହିଁଥିଲେ ନବରଙ୍ଗପୁରରେ ଦୁଇ ତିନୋଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲି ପାରିଥାନ୍ତେ। କେନ୍ଦ୍ର ମନ୍ତ୍ରୀ ଆସିଲେ ତାଙ୍କୁ ଆପଣ ମାନେ ଏ ବିଷୟରେ ପ୍ରଶ୍ନ କରନ୍ତୁ। ରାଜ୍ୟ ସରକାର ୫-ଟିରେ ୮୦୦୦ ସ୍କୁଲର ରୂପାନ୍ତର କରିଛନ୍ତି। ମହିଳା ସଶକ୍ତିକରଣକୁ ବିରୋଧ କରୁଛନ୍ତି କେନ୍ଦ୍ର ମନ୍ତ୍ରୀ। ମିଶନ ଶକ୍ତି ମା ମାନଙ୍କ ଦୁବାଇ ଗସ୍ତକୁ ଷଡଯନ୍ତ୍ର କରି ବନ୍ଦ କଲେ।

ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାରେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କର ବିଶାଳ ହୃଦୟ। ଜନଜାତି ଭାଇ ଭଉଣୀ ମାନଙ୍କ ପାଇଁ ତାଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ରହିଛି। ସବୁବେଳେ ଆପଣଙ୍କ ପଛରେ ଦୃଢ ଭାବରେ ଠିଆ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଆପଣଙ୍କ ସୁଖ ଦୁଃଖରେ ଅଛନ୍ତି। ଯୋଡି ଶଙ୍ଖରେ ଭୋଟ ଦେଇ ତାଙ୍କୁ ଆଶୀର୍ବାଦ କରନ୍ତୁ।