ସମ୍ୱଲପୁରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର; ବିଜେପି ଉପରେ ଶାଣିତ ଆକ୍ରମଣ

ଦେବଗଡ଼, ଛେଣ୍ଡିପଦା ଓ ଆଠମଲ୍ଲିକରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର, ମୁଖ୍ୟମନ୍ତ୍ରୀଙ୍କ ସଭାରେ ବିପୁଳ ଜନସମାଗମ। ବି.ଏସ୍‍.କେ.ୱାଇ, ମିଶନ ଶକ୍ତି, ମମତା, କାଳିଆ, ଲକ୍ଷ୍ମୀ ବସ୍‍, 5T ସ୍କୁଲ ରୂପାନ୍ତରଣ, ପିଲାଙ୍କ ସ୍କଲାରସିପ୍‍, ଚାଉଳ କାର୍ଡ ଭଳି ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସୁଫଳ ବିଷୟରେ ଜନମତ ନେଲେ। ମା ସମଲେଇ ଏବଂ ପୁରୀ ପରିକ୍ରମା ପ୍ରକଳ୍ପ ବିଷୟରେ ମତାମତ ନେଲେ। ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଆଶିର୍ବାଦ କରିବା ପାଇଁ ନିବେଦନ କଲେ।

ବିଜେପି ନେଲାବେଳେ ଚତୁର୍ଭୁଜ, ଦେଲାବେଳେ ଖାଲି ହାତ: ପାଣ୍ଡିଆନ

ଭୁବନେଶ୍ୱର, ୧୫.୦୫.୨୦୨୪: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ୱଲପୁର ଲୋକସଭା କ୍ଷେତ୍ରରେ ମାରାଥନ୍‍ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ଦେବଗଡ଼, ଛେଣ୍ଡିପଦା ଓ ଆଠମଲ୍ଲିକରେ ଆୟୋଜିତ ନିର୍ବାଚନୀ ସଭାରେ ବିପୁଳ ଜନସମାଗମ ଦେଖିବାକୁ ମିଳିଥିଲା ମୁଖ୍ୟମନ୍ତ୍ରୀଙ୍କୁ ଦେଖି ଉପସ୍ଥିତ ଜନତା ଭାବବିହ୍ୱଳ ହୋଇଯାଇଥିଲେ ଏବଂ ସମସ୍ତେ ଉଚ୍ଛ୍ୱସିତ ସ୍ୱରରେ ଜିନ୍ଦାବାଦ ଧ୍ୱନି କରି ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ।

ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଜେପି ଉପରେ ଶାଣିତ ଆକ୍ରମଣ କରି କହିଲେ ଯେ ବିଜେପି ଦଳ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ଆଚ୍ଛେଦିନ କୁଆଡ଼େ ଗଲା ? ଉତ୍ତର ଦେଉନାହାନ୍ତି କାହିଁକି ?

ସଭାରେ ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ଓଡ଼ିଶାରେ ଜୁଲାଇରୁ ମାଗଣା ବିଜୁଳି ମିଳିବ । ଆପଣମାନେ ଖୁସି ତ ? ନବୀନ ପଟ୍ଟନାୟକ ଭଲ କି ପ୍ରଶ୍ନରେ ‘ହଁ’ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସଭାସ୍ଥଳ । ସେ ପୁଣି ତାଙ୍କ ସରକାରର ବିଭିନ୍ନ କଲ୍ୟାଣକାରୀ ଯୋଜନାର ସୁଫଳ ସମ୍ପର୍କରେ ଲୋକଙ୍କୁ ପଚାରିଥିଲେ । ବି.ଏସ୍‍.କେ.ୱାଇ, ମିଶନ ଶକ୍ତି, ମମତା, କାଳିଆ, ଲକ୍ଷ୍ମୀ ବସ୍‍, 5T ସ୍କୁଲ ରୂପାନ୍ତରଣ, ପିଲାଙ୍କ ସ୍କଲାରସିପ୍‍, ଚାଉଳ କାର୍ଡ ଭଳି ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ପଚାରିଲେ ଏବଂ ଜନତା ଦେଇଥିଲେ ବିପୁଳ ସମ୍ମତି ।

ମା ସମଲେଇ ଏବଂ ପରିକ୍ରମା ପ୍ରକଳ୍ପ ବିଷୟରେ ମତାମତ ନେବାବେଳେ ଉପସ୍ଥିତ ଲୋକ କରତାଳି ଦେଇ ନିଜର ଖୁସି ପ୍ରକାଶ କରିଥିଲେ । ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଆଶିର୍ବାଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ ।

ସଭାରେ ନିଜର ବକ୍ତବ୍ୟ ରଖି ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ କହିଥିଲେ ଯେ କେନ୍ଦ୍ର ସରକାର ଓଡ଼ିଶାର ଯେଉଁ ପରିମାଣର ଅର୍ଥ ବିଭିନ୍ନ କର ଆକାରରେ ନେଉଛି ସେଇ ଅନୁଯାୟୀ ଓଡ଼ିଶାକୁ କିଛି ଦେଉନାହିଁ । ସେ କହିଲେ ‘‘ବିଜେପି ନେଲାବେଳେ ଚତୁର୍ଭୁଜ, ଦେଲାବେଳେ ଖାଲି ହାତ’’ । ଉଦାହରଣ ଦେଇ ସେ କହିଲେ ଏମ୍‍.ସି.ଏଲ. ପ୍ରତିବର୍ଷ ଓଡ଼ିଶାରୁ କୋଇଲା ବାବଦକୁ ୨୫ରୁ୨୭ ହଜାର କୋଟି ଟଙ୍କା ପାଉଛି, କିନ୍ତୁ ଓଡ଼ିଶାକୁ ଦେଉଛି ମାତ୍ର ୪ ହଜାର କୋଟି ।

ସେ ପୁଣି କହିଲେ ବିଜେପି କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛି । ୨୦୧୪ ଏବଂ ୨୦୧୯ ନିର୍ବାଚନରେ ବିଜେପି କହିଥିଲା ଧାନର ସର୍ବନିମ୍ନ ସହାୟକ ମୁଲ୍ୟକୁ ଦୁଇ ଗୁଣ କରିବେ । ତେଲ ଦର କମାଇବେ । ଏଲ୍‍.ପି.ଜି. ଦର, ପେଟ୍ରୋଲ, ଡିଜେଲ ଦର କମାଇବେ । ୧୦ ବର୍ଷ ମଧ୍ୟରେ କମାଇଲେ କି ? ସେମାନେ କେବଳ ମିଛ କହିବା ଛଡ଼ା କିଛି ଜାଣି ନାହାନ୍ତି । ଏବେ ନିର୍ବାଚନ ଆସିଲା ମା’ମାନଙ୍କୁ, ଚାଷୀମାନଙ୍କୁ ମନେ ପକାଉଛନ୍ତି ।

କେନ୍ଦ୍ରମନ୍ତ୍ରୀଙ୍କ ଉପରେ ଆକ୍ରମଣ କରି ସେ କହିଲେ ଯେ କେନ୍ଦ୍ରରେ ତୈଳମନ୍ତ୍ରୀ ଥିବାବେଳେ ପ୍ରତି ୩ ମାସକୁ ଥରେ ତାଙ୍କ ଦସ୍ତଖତରେ ତେଲ ଏବଂ ୨ ମାସରେ ଥରେ ଏଲ୍‍.ପି.ଜି. ଦର ବୃଦ୍ଧି କରାଗଲା । ତାଙ୍କ ଦସ୍ତଖତ ମା’ମାନଙ୍କ ଆଖିରେ ଲୁହ ଦେଇଛି, କଷ୍ଟ ଦେଇଛି । ମା’ମାନେ ତାଙ୍କୁ କ୍ଷମା କରିବେ କି ? ତାଙ୍କୁ ଚିହ୍ନିକି ରଖନ୍ତୁ ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ସେ ଚାହିଁଥିଲେ ଛେଣ୍ଡିପଦା ଓ ଦେବଗଡ଼ରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲି ପାରିଥାନ୍ତେ । ଖୋଲିଲେ କି ? କେନ୍ଦ୍ରମନ୍ତ୍ରୀ ଆପଣଙ୍କ ସ୍ୱାର୍ଥରକ୍ଷା ପାଇଁ କେବେ ବି ଲଢ଼ିନାହାନ୍ତି, କି ଲଢ଼ିପାରିବେ ନାହିଁ । ଏ ମାଟିର ସ୍ୱରକୁ କେବେ ବି କେନ୍ଦ୍ର ସରକାରଙ୍କ ପାଖରେ ପହଞ୍ଚାଇ ନାହାନ୍ତି । ସେ ତାଙ୍କ Bossଙ୍କ ପାଖରେ କେବେ ମୁହଁ ଖୋଲି ପାରିବେ ନାହିଁ । କ୍ଷମତା ପାଇଲେ ମିଶନ ଶକ୍ତି ବନ୍ଦ କରିଦେବେ, ଏଲ୍‍.ପି.ଜି. ଦର ପୁଣି ବୃଦ୍ଧି କରିବେ । ଶିକ୍ଷାମନ୍ତ୍ରୀ ଭାବେ କାହାକୁ ସ୍କଲାରସିପ୍‍ ଦେଇଛନ୍ତି କି ? ଲୋକଙ୍କ ପାଇଁ କିଛି କରିଛନ୍ତି କି ? ଏହା ହେଉଛି ଲୋକବିରୋଧୀ ଶାସନର ପରିଚୟ ।

ସେ ପୁଣି କହିଲେ ଯେ ଜୁନ ୯ ତାରିଖରେ ୧୧.୩୦ରୁ ଗୋଟାଏ ମଧ୍ୟରେ ନବୀନ ପଟ୍ଟନାୟକ ପୁନର୍ବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କର ପ୍ରଥମ ତିନୋଟି ଦସ୍ତଖତ ହେବ ୧ – ଓଡ଼ିଶାର ୯୦ ପ୍ରତିଶତ ପରିବାର ପାଇଁ ବିଜୁଳି ବିଲ ଛାଡ଼, ୨- ବି.ଏସ୍‍.କେ.ୱାଇରେ ସରକାରୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ମିଶନ ଶକ୍ତି ଓ ଆଶାକର୍ମୀ ପର୍ଯ୍ୟନ୍ତ ସମସ୍ତେ ସାମିଲ ହେବେ, ୩ – ମିଶନ ଶକ୍ତି ମା ଓ କର୍ମଚାରୀମାନଙ୍କ ପାଇଁ ୬୦ ବର୍ଷ ପରେ ଭତ୍ତା ବ୍ୟବସ୍ଥା ।

ଏବେ ମୁଖ୍ୟମନ୍ତ୍ରୀ ମାଗଣା ବିଜୁଳି ଦେବେ ବୋଲି କହିଲା ପରେ ବିଜେପିର ନିଦ ଭାଙ୍ଗି ଯାଇଛି । ସେମାନେ କହୁଛନ୍ତି ସୋଲାର ପ୍ୟାନେଲ ମାଧ୍ୟମରେ ମାଗଣା ବିଜୁଳି ଦେବେ, ଏଥିପାଇଁ ଆପଣଙ୍କୁ ୪୦ରୁ ୫୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଦିନରେ ଲଣ୍ଠନ ଦେଖାଉଛି ବିଜେପି ।

ମା ସମଲେଇଙ୍କ ପ୍ରକଳ୍ପକୁ ବିରୋଧ କରୁଥିଲେ ବିଜେପି ନେତା । ବନ୍ଦ କରିଦେବା ପାଇଁ ହାଇ କୋର୍ଟ, ସୁପ୍ରିମ୍‍ କୋର୍ଟ ପର୍ଯ୍ୟନ୍ତ ଯାଇଥିଲେ, ମା ସମଲେଙ୍କ ଆଶୀର୍ବାଦ, ନବୀନ ପଟ୍ଟନାୟକଙ୍କ ଆନ୍ତରିକତା ଓ ସାଂସଦ ପ୍ରାର୍ଥୀ ବବି ବାବୁଙ୍କ କଠିନ ପରିଶ୍ରମ ଯୋଗୁଁ ଆମେ ଲକ୍ଷ୍ୟ ହାସଲ କଲୁ, ପ୍ରକଳ୍ପ ସମ୍ପୂର୍ଣ୍ଣ କଲୁ ।

ଦେବଗଡ଼ର ପ୍ରଧାନ ପାଟକୁ ୧ କୋଟି, ଜିଲ୍ଲା ସଦର ମହକୁମା ଡାକ୍ତରଖାନାକୁ ୧୫୦ କୋଟିରେ ରୂପାନ୍ତର, ଦେବଗଡ଼ ୪ ହଜାର ପିଲାଙ୍କୁ ନୁଆ-ଓ ସ୍କଲାରସିପ୍‍ ଦିଆଯାଇଛି ବୋଲି ସେ କହିଥିଲେ ।

ପରିଶେଷରେ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ଭୋଟ ଦେଇ ଜୟଯୁକ୍ତ କରିବାକୁ ଅନୁରୋଧ କଲେ ।

ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ବିଜେପି ଦଳକୁ କଟାକ୍ଷ କରି କହିଥିଲେ ଯେ, ବିଜେପି ସରକାର ଯାହା କହନ୍ତି ତାହା କରନ୍ତି ନାହିଁ କିନ୍ତୁ ଓଡ଼ିଶାରେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଯାହା କହିଥାନ୍ତି ତାଠୁ ଅଧିକ କାମରେ କରିକି ଦେଖାନ୍ତି । ଜଣେ ମିଛ ପ୍ରଚାର କରୁଛି, ଅପରପକ୍ଷରେ ଅନ୍ୟ ଜଣେ କାମ କରି ଚାଲିଛନ୍ତି ବୋଲି ସେ କହିଥିଲେ ।

ନିର୍ବାଚନୀ ସଭାରେ ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଦେବଗଡ଼ ବିଧାୟକ ପ୍ରାର୍ଥୀ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଛେଣ୍ଡିପଦା ବିଧାୟକ ପ୍ରାର୍ଥୀ ସୁଶାନ୍ତ କୁମାର ବେହେରା ଏବଂ ଆଠମଲ୍ଲିକ ବିଧାୟକ ପ୍ରାର୍ଥୀ ନଳିନୀ କାନ୍ତ ପ୍ରଧାନ ନିଜ ନିଜର ଅଭିଭାଷଣରେ ବିଜୁ ଜନତା ଦଳକୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ନିବେଦନ କରିଥିଲେ ।