ଟୁରିଷ୍ଟ ନେତା ପଢୁଛନ୍ତି ଓଡିଶା ବିଜେପିର ଲେଖା: ବିଜେଡି

ପରିକ୍ରମା ପ୍ରକଳ୍ପର ସଫଳତା ସହ୍ୟ କରିପାରୁନାହାନ୍ତି ବିଜେପି ନେତା।

ବିଜେପିର ନାରା – ନା କାମ କରିବୁ ନା କାମ କରାଇଦେବୁ

ଭୁୁବନେଶ୍ୱର, ୧୭/୦୫/୨୦୨୪: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଶୋଚନୀୟ ପରାଜୟ ଭୟରେ ଓଡିଶା ବିଜେପି ନେତାଙ୍କ ହାର୍ଟ ବିଟ୍ ବଢିଯାଇଛି । ସେମାନଙ୍କର ନିଦ ହଜିଗଲାଣି । ସେଥିପାଇଁ ଏବେ ପ୍ରତିଦିନ ମିଛ, ଭିତିହୀନ ଏବଂ କପୋଳକଳ୍ପିତ ଅଭିଯୋଗ ମାନ ଆଣୁଛନ୍ତି ବୋଲି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡି ନେତା ଶ୍ରୀ ଭୃଗୁ ବକ୍ସିପାତ୍ର ଓ ବିଜେଡି ମୁଖପାତ୍ର ଶ୍ରୀ ସ୍ୱୟଂପ୍ରକାଶ ମହାପାତ୍ର ।

ଶ୍ରୀ ଭୃଗୁ ବକ୍ସିପାତ୍ର କହିଥିଲେ, ବିଜେପିର ମାଳ ମାଳ ଟୁରିଷ୍ଟ ନେତା ଏବେ ଓଡିଶାରେ । ଯେଉଁମାନେଓଡିଶା ବିଷୟରେ କିଛି ଜାଣିନାହାନ୍ତି । ରାଜ୍ୟ ନେତା ଯାହା ଲେଖା ଦେଉଛନ୍ତି, ସେମାନେ ଶୁଆ ଭଳି ଗାଇ ଦେଇ ଯାଉଛନ୍ତି । ବିଜେପିର ନାରା ହେଲା, ନା କାମ କରିବୁ ନା କାମ କରାଇଦେବୁ । ଓଡିଶାର ସବୁ
ଭଲକାମକୁ ଅଟକାଇବାକୁ ସଂକଳ୍ପ ନେଇ ସେମାନେ କାର୍ଯ୍ୟ କରୁଛନ୍ତି ।

ପ୍ରଥମରୁ ପରିକ୍ରମା ପ୍ରକଳ୍ପ ବନ୍ଦ ପାଇଁ କାର୍ଯ୍ୟ କଲେ । ଯେଉଁ କାମ ୫୦୦ ବର୍ଷ ଧରି ହୋଇନଥିଲା, ତାହା ମହାପ୍ରଭୁଙ୍କ ଆଶୀର୍ବାଦରେ ଭକ୍ତ ସମାଜର ସୁବିଧା ପାଇଁ ହେଲା । ଏହାକୁ ସହ୍ୟ କରିପାରିନଥିଲେ ବିଜେପି ନେତା । ଆରମ୍ଭ ଦିନରୁ ପରିକ୍ରମା ପ୍ରକଳ୍ପ କାମ ଅଟକାଇବାକୁ ସବୁ ପ୍ରକାରର ଷଡଯନ୍ତ୍ର କରିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଅଣ୍ଡାମାଡ କରାଇଥିଲେ ଧର୍ମେନ୍ଦ୍ର ପ୍ରଧାନ । ନିଜ ଅନୁଗତଙ୍କ ଜରିଆରେ ସୁପ୍ରିମକୋର୍ଟ ଗଲେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଶ୍ରୀମତି ଅପରାଜିତା ଷଡଙ୍ଗୀ । ନାମୀଦାନୀ ଓକିଲଙ୍କୁ ନିୟୋଜିତ କରାଇଲେ । ଏଏସଆଇ ଏବଂ ଏନଏମଏଙ୍କ ନିକଟରେ ମିଥ୍ୟା ପିଟିସନ୍ ପକାଇ କାମ ଅଟକାଇବାକୁ ମଧ୍ୟ ଉଭୟେ ଷଡଯନ୍ତ୍ର କରିଥିଲେ । ସବୁ ଚକ୍ରାନ୍ତ ସତ୍ୱେ ମହାପ୍ରଭୁଙ୍କ ଇଛାରେ କାର୍ଯ୍ୟ ସମାପନ ହୋଇଥିଲା ବୋଲି ସେ ଭୃଗୁ ବକ୍ସିପାତ୍ର କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଓଡିଶାବାସୀ ସମସ୍ତେ ଜାଣିଛନ୍ତି, ଆସନ୍ତା ଜୁଲାଇରେ ରଥଯାତ୍ରା ସମୟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ଯାଉଛି । ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି । ଏହି କମିଟି ପୁରା ପ୍ରକ୍ରିୟାର ତଦାରଖ କରିବ । ଗତ ମେ ମାସରେ କମିଟିର ବୈଠକ ମଧ୍ୟ ହୋଇସାରିଛି । ଏକଥା ଓଡିଶାବାସୀ ବେଶ୍ ଭଲ ଭାବେ ଜାଣିଛନ୍ତି । ସବୁ ଜାଣି ଓଡିଶା ବିଜେପି ନେତା ଡ୍ରାମା କରୁଛନ୍ତି । ରାଜ୍ୟବାସୀଙ୍କ ଭାବାବେଗ ସହ ଖେଳିବାକୁ ସୁଆଙ୍ଗ ରଚୁଛନ୍ତି । ଅଭ୍ୟାସଗତ ଭାବେ ମିଛର ରାଜନୀତି କରୁଛନ୍ତି ।
ବର୍ତ୍ତମାନର ଛତିଶଗଡ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଓ ବର୍ତ୍ତମାନର ଓଡିଶା ବିଜେପି ସଭାପତି ଶ୍ରୀ ମନମୋହନ ସାମଲ ୨୦୦୦ ରୁ ୨୦୦୯ ପର୍ଯ୍ୟନ୍ତ ଆଇନ ଓ ରାଜସ୍ୱ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଥିଲେ । ସେତେବେଳେ ରତ୍ନଭଣ୍ଡାର ଖୋଲିବା କଥା ଉଠିଲେ, ଏହି ଦୁଇ ଜଣ ହିଁ ପଛଘୁଂଚା ଦେଉଥିଲେ । ସେମାନେ ଡରିକି କହୁଥିଲେ, ରତ୍ନଭଣ୍ଡାର ଖୋଲିଲେ ବିପଦ ଆସିବ, ଏହାକୁ ଖୋଲିବାର ଆବଶ୍ୟକତା ନାହିଁ । ଏଭଳି କହି ପ୍ରସଙ୍ଗକୁ ଟାଳି ଦେଉଥିଲେ ବୋଲି ସେ କହିଛନ୍ତି ।

ଓଡିଶା ବିଜେପି ନେତା ୨୦୧୯ ସାଧାରଣ ନିର୍ବାଚନରେ ରତ୍ନଭଣ୍ଡାର ପ୍ରସଙ୍ଗକୁ ନେଇ ରାଜନୀତି କରିଥିଲେ । ଜନତା ସେମାନଙ୍କୁ ଶକ୍ତଚାପୁଡା ମାରିଥିଲେ । ପଂଚାୟତ ନିର୍ବାଚନରେ ମଧ୍ୟ ରତ୍ନଭଣ୍ଡାର ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାଜନୀତି କରିଥିଲେ । ଜନତା ୩୦ ରୁ ୩୦ ଜିଲ୍ଲା ପରିଷଦରେ ବିଜେଡିକୁ ଜିତାଇ, ବିଜେପିକୁ ଆଉ ଥରେ ଶକ୍ତଚାପୁଡା ମାରିଥିଲେ । ଏଥର ମଧ୍ୟ ମହାପ୍ରଭୁଙ୍କୁ ନେଇ ରାଜନୀତି କରୁଥିବା ବିଜେପି ନେତାଙ୍କୁ ଜନତା ବୁଦ୍ଧି ଶିଖାଇବେ । ନିର୍ବାଚନରେ ଶୋଚନୀୟ ପରାଜୟର ଉପହାର ବିଜେପିକୁ ଦେବାକୁ ଜନତା ମନସ୍ଥ କରିସାରିଲେଣି ବୋଲି ଶ୍ରୀ ଭୃଗୁ ବକ୍ସିପାତ୍ର କହିଛନ୍ତି ।