ଡଙ୍କାରୀ କଳାପଥର ଖାଦାନରେ ଅତଡା ଧସିବା ଘଟଣା: ମିଳିଲାଣି ୩ ମୃତଦେହ

ଗତ ଗୁରୁବାର ଡଙ୍କାରୀ କଳାପଥର ଖାଦାନରେ ଏକ ବଡ ଧରଣର ମାଟି ଅତଡା ଧସିବାରୁ ମାଟି ତଳେ ବହୁ ଶ୍ରମିକ ଚାପି ହୋଇ ରହି ଯାଇଥିଲେ।

ଆହୁରି ଶ୍ରମିକ ଫସିଥିବା ଆଶଙ୍କା: ଉଦ୍ଧାରକାର୍ଯ୍ୟ ଜାରି

ଯାଜପୁର,୧୮/୦୫/୨୦୨୪: ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ କଳାପଥର ଖାଦାନରେ ଅତଡା ଧସିବା ଘଟଣାରେ ଆଉ ଦୁଇ ଜଣ ଶ୍ରମିକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଏପର୍ଯ୍ୟନ୍ତ ମୋଟ ୩ ଜଣଙ୍କ ମୃତଦେହ ଠାବ ହେଲାଣି। ଏବେ ବି ଆହୁରି ଶ୍ରମିକ ଫସି ରହିଥିବା ଆଶଙ୍କାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାରକାର୍ଯ୍ୟରେ ୪୦ ଜଣିଆ ଏନଡିଆରଏଫ ଟିମ୍ ନିୟୋଜିତ ହୋଇଛନ୍ତି। ମେସିନ ଦ୍ୱାରା ପଥର ହଟାଇବାକୁ ଉଦ୍ୟମ କରାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ଗତ ଗୁରୁବାର ଦିନ ଖାଦାନରେ ୱାଗନ ଡ୍ରିଲ୍ ସାହାଯ୍ୟରେ ପଥର ଉତ୍ତୋଳନ ସମୟରେ ଏକ ବଡ ଧରଣର ମାଟି ଅତଡା ଧସି ଯାଇଥିଲା। ଏହି ସମୟରେ କାର୍ଯ୍ୟରତ ଶ୍ରମିକମାନେ ପଥର ତଳେ ଚାପି ହୋଇ ରହି ଯାଇଥିଲେ। ସେହି ଦିନ ହିଁ ଜଣେ ଶ୍ରମିକଙ୍କ ମୃତ ଦେହ ଠାବ କରା ଯାଇଥିବା ବେଳେ ଏକାଧିକ ଶ୍ରମିକ ଚାପି ହୋଇ ରହି ଯାଇଥିବା ସନ୍ଦେହ କରା ଯାଇଥିଲା। ଏହା ପରେ ଘଟଣାସ୍ଥଳରେ ଉପସ୍ଥିତ ସ୍ଥାନୀୟ ଲୋକେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।