ବିଜେଡ଼ିରେ ଯୋଗଦେଲେ ଭୁବନେଶ୍ୱର-ଉତ୍ତର ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ବିଦ୍ୟାଧର ଦେହୁରୀ

ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।

ବହୁ କଂଗ୍ରେସ କର୍ମୀଙ୍କ ବିଜେଡିରେ ଯୋଗଦାନ

ଭୁବନେଶ୍ୱର, ୨୨/୦୫: ଭୁବନେଶ୍ୱର-ଉତ୍ତର ନିର୍ବାଚନ ମଣ୍ଡଳୀର ପୂର୍ବତନ କଂଗ୍ରେସ ସାଧାରଣ ସମ୍ପାଦକ ବିଦ୍ୟାଧର ଦେହୁରୀଙ୍କ ସହ ବହୁ ନିର୍ବାଚିତ ପ୍ରତିନିଧି ଓ ଶତାଧିକ କଂଗ୍ରେସ କର୍ମୀ ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ବିଦ୍ୟାଧର ଦେହୁରୀଙ୍କୁ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ଭୁବନେଶ୍ୱର-ଉତ୍ତର ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର କହିଥିଲେ ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବିଦ୍ୟାଧର ଦେହୁରୀ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି । ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି । ଦଳରେ ମୋତେ ଓ ମୋ ସହ ଯୋଗ ଦେଇଥିବା ସମସ୍ତ କଂଗ୍ରେସ କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।

ଏହି ମିଶ୍ରଣ ପର୍ବରେ ଗୋପାଳଚନ୍ଦ୍ର ନାୟକ, ଅଶୋକ କୁମାର ନାୟକ, ସୁରେଶ ଚନ୍ଦ୍ର ନାୟକ, ସେକ୍ ଇକବାଲ ହୁସେନ, ଦେବରାଜ ନାୟକ, ଟୁକୁ ମାଝୀ, ଅଞ୍ଜଳୀ ସ୍ୱାଇଁ, ମଥୁରୀ ସ୍ୱାଇଁ, କମନ କୁମାରୀ ପାଟ୍ଟଶାଣୀ, କୁନା ଭୋଇ, ମଳୟ କୁମାର ସେଠୀ, ନାସିରୁଦ୍ଦିନ ଖାନ, ଦାମୋଦର ନାୟକ, ସର୍ବେଶ୍ୱର ନାୟକ, ସୁଶ୍ରୀ ଶୁଭଦର୍ଶିନୀ, ଶିବ ଚରଣ ମଲ୍ଲିକ, ସୁଜାତା, ନାୟକ ଓ ଅମର ନାୟକଙ୍କ ସହ ବହୁ କଂଗ୍ରେସ କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ । ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।