ଚମ୍ପୁଆ ନିର୍ବାଚନ ମଣ୍ଡଳୀ ବଡ଼ବିଲରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା

ଆସାମ ମୁଖ୍ୟମନ୍ତ୍ରୀ ତଥା ବିଜେପିର ଫାୟାର ବ୍ରାଣ୍ଡ ନେତା ହିମନ୍ତ ବିଶ୍ଵଶର୍ମା ଆଜି କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ଦଳ ପାଇଁ ଯୋରଦାର ପ୍ରଚାର କରିଛନ୍ତି ।

ଆମ ସରକାର ଆସିଲେ ମାଫିଆଙ୍କୁ ପାକିସ୍ତାନ ପଠାଇ ଦେବୁ

ଯୋଡ଼ା,୨୩/୦୫: ଆସାମ ମୁଖ୍ୟମନ୍ତ୍ରୀ ତଥା ବିଜେପିର ଫାୟାର ବ୍ରାଣ୍ଡ ନେତା ହିମନ୍ତ ବିଶ୍ଵଶର୍ମା ଆଜି କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ଦଳ ପାଇଁ ଯୋରଦାର ପ୍ରଚାର କରିଛନ୍ତି । ବଡ଼ବିଲ ବିକାଶ ମହଲ ପଡ଼ିଆରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ବିଶାଳ ଜନ ସଭାକୁ ସମ୍ବୋଧନ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ ଓଡ଼ିଶାରେ ଏଥର ବିଜେପି ବହୁ ମତରେ ବିଜୟ ହାସଲ କରି ଆସନ୍ତା ୧୦ ତାରିଖରେ ସରକାର ଗଢ଼ିବ ବୋଲି ହିମନ୍ତ ବିଶ୍ଵଶର୍ମା କହିଛନ୍ତି ।

ଏହି ସଭାରେ ସେ ଭି.କେ.ପାଣ୍ଡିଆନଙ୍କୁ ସିଧା ସିଧା ଟାର୍ଗେଟ କରିଛନ୍ତି । ଶ୍ରୀ ମନ୍ଦିର ରତ୍ନ ଭଣ୍ଡାର ଚାବି ପ୍ରସଙ୍ଗରେ ସେ କହିଥିଲେ ରତ୍ନ ଭଣ୍ଡାର ଚାବି ପାତଳରେ ଲୁଚାଇ ରଖିଥିଲେ ବି ମୋଦିଜୀ ଖୋଜି ଆଣିବେ । ପାଣ୍ଡିଆନ୍ ଯାହା କହନ୍ତି ମୁଖ୍ୟମନ୍ତ୍ରୀ ସେଇଆ କରନ୍ତି । ତାଙ୍କ ବିନା ଅନୁମତିରେ ଏକ ଗ୍ଲାସ ପାଣି ବି ପିଇ ପାରନ୍ତି ନାହିଁ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କେମିତି ଅଛନ୍ତି ମୋର ସନ୍ଦେହ ହେଉଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବନା ଯାଉଛି । ସେଗୁଡ଼ିକର ନବୀନ ବାବୁ କହିନାହାନ୍ତି କି ଭିଡିଓ ବି ତାଙ୍କର ନୁହେଁ । ଯାହା ପାଣ୍ଡିଆନ କହିବା ପାଇଁ ଦିଅନ୍ତି ସେ ସେଇଆ କହନ୍ତି । ଓଡ଼ିଶାରେ ୫ ଟି ନୁହେଁ ଗୋଟିଏ ଟି ଅଛି । ଆଉ ସେଇ ଟି ର ମାନେ ତାମିଲନାଡୁ। ଏଠାରେ ପାଣ୍ଡିଆନ୍ ମାଫିଆଗିରି ବାଲା ରାଜ୍ କରିବା ଛାଡ଼ି ଦିଅନ୍ତୁ । କେନ୍ଦୁଝର ସବୁଠାରୁ ଅଧିକ ରେଭିନ୍ୟୁ ଦେଉଛି କିନ୍ତୁ ଆବଶ୍ୟକ ମୌଳିକ ସୁବିଧା ଉପଲବ୍ଧ ନାହିଁ । ସବୁ ସରକାରୀ କମ୍ପାନୀ ବନ୍ଦ କରି ପ୍ରାଇଭେଟ୍ କମ୍ପାନୀକୁ ଆଣିଛନ୍ତି । ଏଠାକାର ବିଜେଡି ବିଧାୟକଙ୍କ ଉପରେ ଆରୋପ ରହିଛି ଯେ ସେ ଏଠାରୁ ଟ୍ରକ୍ ଗୁଡିକରୁ ଟଙ୍କା କଲେକ୍ସନ୍ କରି ପଣ୍ଡିଆନ ପାଖକୁ ପଠାଉଛନ୍ତି । କେନ୍ଦୁଝରର ଖଣି ଗୁଡ଼ିକରେ ମେସିନ ମାଇନିଂ ଯୋଗୁଁ ଶ୍ରମିକଙ୍କ ଠାରୁ ରୋଜଗାର ଛଡାଇ ନେଲେ ।

ଏଥିସହ ବିଜେଡି ବିଧାୟକ ପ୍ରାର୍ଥୀ ସନାତନଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ ହିମନ୍ତ। ସେ କହିଥିଲେ ମାଫିଆ ସିଣ୍ଡିକେଟ ଭାଙ୍ଗିବାକୁ ପଡ଼ିବ । ଆପଣଂକ ଅଞ୍ଚଳରେ ଯେଉଁ ଆଇରନ୍ ଆଉ ମାଙ୍ଗାନିଜ ରହିଛି ତାହା ଆପଣ ମାନଙ୍କର । ଏହା ସନାତନ ମହାକୁଡ଼ଙ୍କ ନୁହେଁ, ଏଥିରେ ଆପଣଙ୍କ ଅଧିକାର ଅଛି । ସନାତନ ମହାକୁଡ଼ ଟଙ୍କା ଦେବାକୁ ଆସିଲେ ରଖିନେବେ । କାରଣ ସେ ଟଙ୍କା ବି ଆପଣଙ୍କର । କିନ୍ତୁ ଭୋଟ ବିଜେପିକୁ ଦିଅନ୍ତୁ । ନିର୍ବାଚନ ସରିବାକୁ ଦିଅନ୍ତୁ । CBI ED ଲଗାଇ ଏସବୁ ଟଙ୍କା ଉଠାଇ ନେବୁ ଏବଂ ଜନତାଙ୍କ କାମରେ ଲଗାଇବୁ । ଏହି ନିର୍ବାଚନ ମଣ୍ଡଳୀରେ ସ୍କୁଲ କଲେଜ ହସ୍ପିଟାଲ ଅବସ୍ଥା ସାଙ୍ଘାତିକ । ଏଠାରେ ମାଫିଆ ରାଜ୍ ଚାଲିଛି । ଆମ ସରକାର ଆସିଲେ ମାଫିଆଙ୍କୁ ପାକିସ୍ତାନ ପଠାଇ ଦେବୁ । ମାଇନିଙ୍ଗ କାମ ସରକାରୀ ସଂସ୍ଥା କରିବ । ବିଶ୍ୱଶର୍ମା କହିଛନ୍ତି ଯେ, ମୋ ଆସାମ ଛୋଟ ପ୍ରଦେଶ କିନ୍ତୁ ଆମେ ମହିଳାମାନଙ୍କୁ ପ୍ରତି ମାସ ୧୨୫୦ ଟଙ୍କା ଦେଉଛୁ । ଭାଜପା ସରକାର ଆସିଲେ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କାର ଭାଉଚର୍ ଦିଆଯିବ । ସେହିପରି ମହିଳାଙ୍କୁ ପ୍ରତି ମାସ ୧ ହଜାର ଟଙ୍କା ମିଳିବ । ପେନସନ ୧ ହଜାର ବଦଳରେ ୩୦୦୦ ଟଙ୍କା ପ୍ରଦାନ କରାଯିବ ।

ବିଜେଡିର ସମୟ ସରିଆସୁଛି । ଗରିବ କଲ୍ୟାଣ ଯୋଜନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ମାଗଣାରେ ଚାଉଳ ଦେଉଛନ୍ତି । କିନ୍ତୁ ଓଡ଼ିଶାରେ ବିଜେଡି ସରକାର ଚାଉଳ ଆଣିବା ପାଇଁ କେବଳ ବ୍ୟାଗ୍ ଦେଉଛନ୍ତି । ପାଣ୍ଡିଆନ୍‌ କେବଳ ବ୍ୟାଗ୍ ଦେଉଛନ୍ତି । ଏଥିସହ କୃଷ୍ଣ ଜନ୍ମଭୂମି, ଜ୍ଞାନବାପି ମନ୍ଦିର ଏବଂ ପାକ ଅଧିକୃତ କାଶ୍ମୀର ପ୍ରସଙ୍ଗ ଉଠାଇବ ସହିତ ୟୁନିଫର୍ମ ସିଭିଲ କୋଡ କଥା ମଧ୍ୟ କହିଥିଲେ । ମୋଦିଜୀଙ୍କୁ ଜିତାଇବା ସହ ଏକା ସହିତ ଓଡ଼ିଶାରେ ବି ଡବଲ ଇଞ୍ଜିନ ସରକାର ପାଇଁ ବିଜେପିକୁ ଭୋଟ କରିବାକୁ ସେ ନିବେଦନ କରିଥିଲେ । ୧୦ ତାରିଖରେ ବିଜେପି ସରକାର ବନିବ । ମୁଁ ଶପଥ ଗ୍ରହଣରେ ଆସିବି । ନୂତନ ମୁଖ୍ୟମନ୍ତ୍ରୀଙ୍କୁ କହିବି ଏ ଅଞ୍ଚଳରେ ସ୍କୁଲ କଲେଜ, ହସ୍ପିଟାଲ୍ ବନେଇବା ପାଇଁ ଅନୁରୋଧ କରିବି । ସମାବେଶରେ ବିଜେପିର ଚମ୍ପୁଆ ବିଧାୟକ ପ୍ରାର୍ଥୀ ମୁରଲୀ ମନୋହର ଶର୍ମା, କେନ୍ଦୁଝର ରାଣୀ ସୁନନ୍ଦିନୀ ଭଞ୍ଜଦେଓ ଏବଂ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।