‘ପାରାଦ୍ୱୀପ ଓଡ଼ିଶା ଅର୍ଥନୀତିର ମେରୁଦଣ୍ଡ’

ପାରାଦ୍ୱୀପରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର

ପାରାଦ୍ୱୀପର ଉନ୍ନତି ହେବ, ରୋଜଗାର ବଢ଼ିବ

ଭୁବନେଶ୍ବର, ୨୩/୦୫: ପାରାଦ୍ୱୀପରେ ନିର୍ବାଚନ ପ୍ରଚାର କରିଛନ୍ତି ବିଜେଡ଼ିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ସାଧାରଣ ଜନସମାବେଶକୁ ସମ୍ବୋଧିତ କରି ପାଣ୍ଡିଆନ କହିଛନ୍ତି ଯେ, ପାରାଦ୍ୱୀପ ଓଡ଼ିଶା ଅର୍ଥନୀତିର ମେରୁଦଣ୍ଡ। ପାରାଦ୍ୱୀପ ପାଇଁ ବହୁ ପୁଞ୍ଜିନିବେଶ ଆଣିଛନ୍ତି ମୁଖ୍ୟମନ୍ତ୍ରୀ। ପାରାଦ୍ୱୀପର ଉନ୍ନତି ହେବ ଏବଂ ରୋଜଗାର ବଢ଼ିବ।

ବିଜୁବାବୁଙ୍କୁ ଆପଣମାନେ ଭଲ ପାଆନ୍ତି ତ? ପାରାଦ୍ୱୀପକୁ ବିଜୁବାବୁ ବହୁତ ଭଲ ପାଉଥିଲେ। ଆପଣମାନେ ବିଜୁ ଜନତା ଦଳ ଓ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ କରନ୍ତୁ। ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ପାଇଁ ୨୪ ଘଣ୍ଟା କାମ କରୁଛନ୍ତି। ଆପଣମାନଙ୍କ ପାଖକୁ ୫ ବର୍ଷରେ ଥରେ ସୁଯୋଗ ଆସିଛି। ତାଙ୍କୁ ଆଶୀର୍ବାଦ କରିବା ପାଇଁ, ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦିଅନ୍ତୁ। ନୂଆ ଓଡ଼ିଶା ଗଠନରେ ସାମିଲ ହୁଅନ୍ତୁ।

ସାରା ଓଡ଼ିଶା ଗୋଟିଏ ସ୍ୱରରେ କହୁଛି, ନବୀନ ବାବୁ ଜୁନ ୯ ତାରିଖରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ। ଶପଥ ନେବା ପରେ ପ୍ରଥମ ଦସ୍ତଖତରେ ୯୦ ପ୍ରତିଶତ ଓଡ଼ିଶାବାସୀଙ୍କ ବିଜୁଳି ବିଲ୍‍ ଛାଡ଼୍‍ କରିବେ। ଦ୍ୱିତୀୟ ଦସ୍ତଖତରେ ବି.ଏସ୍‍.କେ.ୱାଇ କାର୍ଡ ନ ଥିବା ସମସ୍ତଙ୍କୁ କାର୍ଡ ଯୋଗାଇଦେବେ। ତୃତୀୟ ଦସ୍ତଖତରେ ୬୦ ବର୍ଷ ପରେ ମିଶନଶକ୍ତି ସଦସ୍ୟାମାନେ ପାଇବେ ପେନ୍‍ସନ୍‍। ଆପଣମାନେ ଯାହାବି ଦରଖାସ୍ତ ଦେଇଥିଲେ ତା’ମଧ୍ୟରୁ ୮୦ ପ୍ରତିଶତ ସମାଧାନ ହୋଇଛି। ଆଉ ଯାହାବି ସମସ୍ୟା ଅଛି ଖୁବ୍‍ ଶୀଘ୍ର ସମାଧାନ ହେବ ବୋଲି ପାଣ୍ଡିଆନ ପ୍ରତିଶ୍ରୁତି ଦେଇଛନ୍ତି।