ମେଣ୍ଟ ଆଲୋଚନା ଭିତ୍ତିହୀନ: ସ୍ମୃତି ଇରାନୀଙ୍କୁ ପାଣ୍ଡିଆନଙ୍କ ତଗଡା ଜବାବ

ବିଜେଡ଼ି ବୃହତ ମାତ୍ରାରେ ବିଜୟ ଲାଭ ସହ ସରକାର ଗଠନ କରିବ ବୋଲି ପାଣ୍ଡିଆନ ଗଣମାଧ୍ୟମରେ କହିଛନ୍ତି।

ବିଜେଡିର ବିଜୟ ହାର ୮୦ ପ୍ରତିଶତ

ଭୁବନେଶ୍ବର, ୨୬/୦୫: ମେଣ୍ଟ ଆଲୋଚନା ଭିତ୍ତିହୀନ। ଇଣ୍ଡି ମେଣ୍ଟ ଆଲୋଚନା ସମ୍ପୂର୍ଣ୍ଣ ମିଛ, ଅପପ୍ରଚାର ଏବଂ ରାଜନୈତିକ ଭିତ୍ତିକ ମନଗଢ଼ା କାହାଣୀ। ଗତ କାଲି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଦେଇଥିବା ମନ୍ତବ୍ୟର କଡା ଜବାବ ରଖିଛନ୍ତି କାର୍ତ୍ତିକ ପାଣ୍ଡିଆନ। ପାଣ୍ଡିଆନ ମେଣ୍ଟ ଆଲୋଚନା ସମ୍ପର୍କରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, କିଛି ଲୋକଙ୍କ ଦ୍ୱାରା ଗଠିତ ଏଭଳି ରାଜନୈତିକ ନ୍ୟାରେଟିଭ୍ ତିଆରି କରାଯାଇଛି। ଏଥିରେ କୌଣସି ସତ୍ୟତା ନାହିଁ। ମିଛ କହିବାର ସୀମା ଟପି ଯାଇଛନ୍ତି ବିଜେପି ନେତା। ସ୍ମୃତି ଇରାନୀ କେବଳ ରାଜନୈତିକ କଥା କହୁଛନ୍ତି। ୧୦ ବର୍ଷ ମଧ୍ୟରେ ବିଜେପି ସରକାରରେ ସବୁ ଜିନିଷର ଦରଦାମ ବୃଦ୍ଧି ହେବାରେ ଲାଗିଛି। ତେଣୁ ରୋଜଗାର ଉପରେ କହିବାର ତାଙ୍କର ସାହସ ନାହିଁ।

ବିଜେଡିର ବିଜୟଲାଭ ପାଇଁ ଦୃଢୋକ୍ତି ପ୍ରକାଶ କରିଛନ୍ତି ପାଣ୍ଡିଆନ। ଏ ସମ୍ପର୍କରେ ପାଣ୍ଡିଆନ କହିଛନ୍ତି, ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସୁଦ୍ଧା ବିଜେଡ଼ି ସ୍ୱିପ୍ କରୁଛି। ଏଯାବତ୍ ଉଭୟ ଲୋକସଭା ଓ ବିଧାନସଭାରେ ୮୦ରୁ ୮୫ ପ୍ରତିଶତ ବିଜୟ ପାଇଛୁ। ମୁଖ୍ୟମନ୍ତ୍ରୀଙ୍କ ମଧ୍ୟବିତ୍ତ ପରିବାର ଓ ଯୁବପିଢ଼ିଙ୍କ ପାଇଁ କରା ଯାଇଥିବା ଯୋଜନା ଯୋଗୁଁ ଭୁବନେଶ୍ୱରରେ ଭୋଟ ହାର ବଢିଛି। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପରେ ମଧ୍ୟ ବିଜେଡ଼ିର ବିଜୟ ଲାଭ ଜାରି ରହିବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ବିଜେଡ଼ି ବୃହତ ବିଜୟ ଲାଭ ସହ ଆଗକୁ ସରକାର ଗଠନ କରିବାକୁ ଯାଉଛି।