ଜଳେଶ୍ୱରରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର

ଜଳେଶ୍ୱରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି କାର୍ତ୍ତିକ ପାଣ୍ଡିଆନ।

ଜଳେଶ୍ଵର ବିଧାୟକ ପ୍ରାର୍ଥୀଙ୍କୁ ଉଚ୍ଚ ପ୍ରଶଂସା

ଭୁବନେଶ୍ବର, ୨୮/୦୫: ଜଳେଶ୍ୱରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। ଦଳୀୟ ବିଧାୟକ ପ୍ରାର୍ଥୀଙ୍କ ପାଇଁ କରିଛନ୍ତି ଜୋରଦାର ନିର୍ବାଚନ ପ୍ରଚାର। ଏହି ଅବସରରେ ଜନସମାବେଶକୁ ସମ୍ବୋଧିତ କରି ପାଣ୍ଡିଆନ କହିଛନ୍ତି ଜଳେଶ୍ୱରରେ ବିଶାଳ ଜନସମୁଦ୍ର ଦେଖି ବିରୋଧିଙ୍କ ନିଦ ହଜିଯାଉଛି। ଜଳେଶ୍ୱରରେ ଯେତେସବୁ ବିକାଶ କାମ ହୋଇଛି, ସେଥିପାଇଁ ଅଶ୍ୱିନୀ ବାବୁ କଠୋର ପରିଶ୍ରମ କରିଛନ୍ତି। ଆପଣଙ୍କ ଅଞ୍ଚଳରେ ପ୍ରକଳ୍ପ କରିବା ପାଇଁ ଦିନରାତି ଲାଗି ପଡ଼ନ୍ତି। ସୁବର୍ଣ୍ଣରେଖା ନଦୀରେ ଚରମରାଠାରେ ୧୨୫ କୋଟି ଟଙ୍କାରେ ସେତୁ କରାଯାଇଛି, ନଦୀରେ ଷ୍ଟୋନ ପ୍ୟାକିଂକରାଯାଇଛି। ଏସବୁ କାମ ପାଇଁ ଅଶ୍ୱିନୀ ବାବୁ ଚୁପ୍‍ଚାପ୍‍ ଶାନ୍ତିରେ କାମ କରନ୍ତି। ଅଶ୍ୱିନୀ ବାବୁ ଜଣେ ଆଦର୍ଶ ଲୋକ ପ୍ରତିନିଧି। ଆପଣ ଏଠାରୁ ଜଣେ ସାଂସଦ ପଠାଇଥିଲେ, ସେ ଆପଣଙ୍କ ପାଇଁ କିଛି କାମ କଲେ କି ? ସ୍କୁଲ ରୂପାନ୍ତର, ମନ୍ଦିର ମସ୍‍ଜିଦ ଚର୍ଚ୍ଚ ରୂପାନ୍ତର ଆଦି କାମରେ ସହଯୋଗ କଲେ କି ବୋଲି ପ୍ରଶ୍ନ କରିଥିଲେ ପାଣ୍ଡିଆନ। ଏ ମାଟିର ଲୋକ ହୋଇ ଏ ମାଟିକୁ ଭୁଲିଗଲେ, ମନ୍ତ୍ରୀ ହେଲେ କିନ୍ତୁ ନିଜ ଅଞ୍ଚଳ ପାଇଁ ଗୋଟିଏ ବି କାମ କଲେ ନାହିଁ। ବିଜେଡିରୁ ସାଂସଦ ହେଲେ ଏ ମାଟି ପାଇଁ ଦିନରାତି କାମ କରିବେ। ସାରା ଓଡ଼ିଶା ଜାଣେ, ସମସ୍ତେ ଜାଣନ୍ତି ଯେ, ନବୀନ ପଟ୍ଟନାୟକ ଜୁନ ୯ ତାରିଖ ଦିନ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ବହୁ ସଂଖ୍ୟାରେ ଭୋଟ ଦେବାକୁ ମା’ମାନଙ୍କୁ ନିବେଦନ କରି କହିଲେ ଗତଥର ଜଳେଶ୍ୱରରୁ ୩୦ ହଜାର ମାର୍ଜିନ ମିଳିଥିଲା। କଥା ରହିଲା, ଏଥର ୫୦ ହଜାର ମାର୍ଜିନ ମିଳିବ।