ଉତ୍ସବ ମନାଉଛି ବିଜେପି

ରାଜ୍ୟ ବିଜେପି ଭିତରେ ଭରିଯାଇଛି ଉତ୍ସାହ

ଭୋଟରଙ୍କୁ ଧନ୍ୟବାଦ ଦେଲେ ଗୋଲକ

ଭୁବନେଶ୍ବର, ୦୪/୦୬: ଓଡ଼ିଶାରେ ବିଜେପିର ବିପୁଳ ସଫଳତା ପରେ ରାଜ୍ୟ ବିଜେପିରେ ଦେଖା ଦେଇଛି ଉତ୍ସାହ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ନବନିର୍ବାଚିତ ବିଧାୟକ ଓ ସାଂସଦଙ୍କ ସୁଅ ଛୁଟିଛି। ରାଜ୍ୟ କାର୍ଯ୍ୟାଳୟରେ ଉତ୍ସବ ମନାଇଛନ୍ତି ବିଜେପି ନେତା। ରାଜ୍ୟରେ ବିପୁଳ ସମର୍ଥନ ଦେଇ ବିଜେପିକୁ ଜିତାଇଥିବାରୁ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଓ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ବିଭିନ୍ନ ନେତା ସାଧାରଣ ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବିଜେପି ଉପରେ ଆସ୍ଥା ପ୍ରକଟ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ନେତା।

ଓଡ଼ିଶା ବିଧାନସଭାରେ ୧୪୭ଟି ଆସନରୁ ୮୦ଟି ଆସନରେ ଆଗୁଆ ରହିଛି ବିଜେପି। ବିଜେପି ନେତା ଗୋଲକ ମହାପାତ୍ର ମଙ୍ଗଳବାର ବିଧାନସଭା ଓ ଲୋକସଭା ନିର୍ବାଚନରେ ଦଳର ଉଲ୍ଲେଖନୀୟ ପ୍ରଦର୍ଶନକୁ ନେଇ ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଭୋଟର ଓ ଦଳୀୟ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗୋଲକ କହିଛନ୍ତି, “ବିଜେପି ପାଇଁ ବର୍ତ୍ତମାନର ଟ୍ରେଣ୍ଡ ଅତ୍ୟନ୍ତ ଉତ୍ସାହଜନକ। ବିଜେପି ଉପରେ ଆସ୍ଥା ପ୍ରକଟ କରି ଦଳକୁ ସରକାର ଗଠନ ପାଇଁ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ଦେଇଥିବାରୁ ମୁଁ ସମସ୍ତ ଭୋଟରଙ୍କୁ, ବିଶେଷ କରି ଯୁବକ ଓ ମହିଳାମାନଙ୍କୁ ଧନ୍ୟବାଦ ଜଣାଉଛି। ରାଜ୍ୟବ୍ୟାପୀ ଆମ ପ୍ରାର୍ଥୀଙ୍କ ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଥିବା ହଜାର ହଜାର କର୍ମକର୍ତ୍ତାଙ୍କ ପ୍ରୟାସ ଯୋଗୁଁ ଦଳର ଐତିହାସିକ ପ୍ରଦର୍ଶନ ସମ୍ଭବ ହୋଇପାରିଛି। ରାଜ୍ୟ ନେତା ଓ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ବହୁ ସଂଖ୍ୟାରେ ଆସିଥିବା କେନ୍ଦ୍ରୀୟ ନେତାଙ୍କୁ ମୁଁ ଧନ୍ୟବାଦ ଜଣାଉଛି।”