ମୁକୁଳା ଡ୍ରେନରେ ଖସି ନାବାଳକର ମୃତ୍ୟୁ

ୟୁନିଟ୍-୩ରେ ବର୍ଷା ଜଳରେ ଏକ ମୁକୁଳା ଡ୍ରେନରେ ଭାସି ଯାଇ ଜଣେ ୮ ବର୍ଷର ନାବାଳକର ମୃତ୍ୟୁ ଘଟିଛି।

ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୧୮/୦୬: ଭୁବନେଶ୍ୱର ୟୁନିଟ୍-୩ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ବର୍ଷା ଜଳରେ ଏକ ମୁକୁଳା ଡ୍ରେନରେ ଭାସି ଯାଇ ଜଣେ ୮ ବର୍ଷର ନାବାଳକର ମୃତ୍ୟୁ ଘଟିଛି। ଏସ୍ କେ ରାଜେଶ ନାମକ ନାବାଳକ ଜଣକ ୟୁନିଟ୍-୩ସ୍ଥିତ ମସଜିଦ୍ କଲୋନିର ବାସିନ୍ଦା। ସେ ନିଜ ଘର ବାହାରେ ବର୍ଷା ପାଣିରେ ଖେଳୁଥିଲେ। ଖେଳିବା ସମୟରେ ସେ ମୁକୁଳା ଡ୍ରେନରେ ଖସି ପଡ଼ିଥିଲେ।

ଏହା ଜଣାପଡି଼ବା ପରେ ତାଙ୍କ ସମ୍ପର୍କୀୟ ଓ ପଡ଼ୋଶୀମାନେ ତୁରନ୍ତ ତାଙ୍କୁ ଖୋଜାଖୋଜି କରିଥିଲେ, ହେଲେ ନ ପାଇବାରୁ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀର ଦୁଇଟି ଟିମ୍ ପହଞ୍ଚି ଖୋଜାଖୋଜି କରିବା ପରେ ଶେଷରେ ଲକ୍ଷ୍ମୀସାଗରସ୍ଥିତ ଏକ ନାଳରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ରାକେଶଙ୍କୁ ସଙ୍ଗେ ସଙ୍ଗେ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ମୃତକଙ୍କ ପରିବାରକୁ କ୍ଷତିପୂରଣ ରାଶି ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଏହି ଦୁଃଖଦ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି।