ଧାନ ବିକ୍ରିରେ ଆସିବ ସ୍ୱଚ୍ଛତା; ଦୁର୍ନୀତି ରୋକିବ ସିସିଟିଭି

ଏ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଏହି ସୂଚନା ଦେଇଛନ୍ତି।

ଧାନ ପରିବହନ ଗାଡ଼ିରେ ଲାଗିବ ଜିପିଏସ୍

ଭୁବନେଶ୍ବର, ୨୯/୦୬: ଚାଷୀମାନଙ୍କଠାରୁ ଧାନ କ୍ରୟ ବେଳେ ଆଉ କରି ପାରିବେନି କଟନୀଛଟନୀ। ଧାନ କ୍ରୟ ସମୟରେ ଓଜନ ହ୍ରାସ କରିବା କିମ୍ବା ଧାନ କ୍ରୟ କରି ସାରିବା ପରେ ବିଳମ୍ବରେ ଦେୟ ପଇଠ କରି ପାରିବେନି ମିଲର। ଏଥି ଉପରେ ନଜର ରଖିବ ସିସିଟିଭି ଓ ଜିପିଏସ୍। ଯଦି କେହି ଏଥିରେ ଅନିୟମିତତା କରନ୍ତି ତାହାଲେ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଧାନ କ୍ରୟରେ ସ୍ୱଚ୍ଛତା ଆଣିବା ପାଇଁ ରାଜ୍ୟର ସମସ୍ତ ମଣ୍ଡିରେ ସିସିଟିଭି କ୍ୟାମେରା ଲାଗିବ। ମଣ୍ଡିରେ ଚାଷୀମାନଙ୍କଠାରୁ ଧାନ କ୍ରୟ କରୁଥିବା ସମୟରେ ନଜର ରଖିବ ଏହି ସିସିଟିଭି। ଏହା ସହ ଧାନ କ୍ରୟ କେନ୍ଦ୍ରରୁ ମିଲକୁ ଧାନ ପରିବହନ କରୁଥିବା ଗାଡ଼ିଗୁଡ଼ିକରେ ଜିପିଏସ୍ ସିଷ୍ଟମ ଲଗାଯିବ। ଯାହା ଦ୍ୱାରା ଗାଡିର ସଠିକ୍ ସ୍ଥାନକୁ ଟ୍ରାକ୍ କରିପାରିବ ଜିପିଏସ୍। ଏ ନେଇ ଜିଲ୍ଲାପାଳମାନଙ୍କୁ ଅବଗତ କରାଯାଇଛି। ଦୁଇ ମାସ ମଧ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେବ। ଏତଦ୍ ବ୍ୟତୀତ ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ଖୋଲିବାକୁ ଯୋଜନା କରାଯାଉଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଏହି ସୂଚନା ଦେଇଛନ୍ତି।