ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ

ରଥଯାତ୍ରା ସମ୍ପର୍କରେ ଆଲୋଚନା କରିଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉପସ୍ଥିତ

ଭୁବନେଶ୍ବର, ୦୧/୦୭: ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ପୁରୀ ରଥଯାତ୍ରା ନେଇ ଆଲୋଚନା କରିଛନ୍ତି। ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଉପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଚଳିତ ବର୍ଷ ଜୁଲାଇ ୭ ତାରିଖରେ ରଥଯାତ୍ରା ପଡୁଥିବା ଦିନ ହିଁ ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ ପଡୁଛି। କାର୍ଯ୍ୟସୂଚୀ ଅନୁଯାୟୀ ସବୁ କିଛି ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଛି। ୧୯୭୧ ମସିହାରେ ଅନୁଷ୍ଠିତ ରଥଯାତ୍ରାର ରୀତିନୀତି ଅନୁଯାୟୀ ଚଳିତ ବର୍ଷ ମଧ୍ୟ ସେହି ଅନୁସାରେ ପାଳନ କରାଯିବ। ରଥଯାତ୍ରାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେବାକୁ ଯାଉଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ପ୍ରାଧାନ୍ୟ ଦିଆଯିବ। ସେହିପରି ଖୁବଶୀଘ୍ର ରତ୍ନ ଭଣ୍ଡାର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଆଉ କିଛି ଦିନ ପରେ ରତ୍ନଭଣ୍ଡାର ଖୋଲିବାର ତାରିଖ ଘୋଷଣା କରାଯିବ। କିଏ ଉପସ୍ଥିତ ରହିବେ ଓ କିପରି ବ୍ୟବସ୍ଥା କରିବେ ସେ ନେଇ ପଦକ୍ଷେପ ନିଆଯିବ। ରତ୍ନଭଣ୍ଡାର ଖୋଲିବା ଓ ଗଣତି ଦାୟିତ୍ୱରେ କିଏ ରହିବ ତାହା ଉପରେ ଗୁରୁତ୍ୱ ଦିଆଯିବ ବୋଲି ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି।