ଲୋକସଭାରେ ସାଂସଦ ରାହୁଲ ଗାନ୍ଧି ବନାମ ବିଜେପି

ଲୋକସଭାରେ ରାହୁଲ ଗାନ୍ଧୀ ଦେଇଥିବା ହିଂସାତ୍ମକ ବୟାନ ଯୋଗୁଁ ବିଜେପି ପ୍ରତିକ୍ରିୟା ପ୍ରକାଶ କରିଛି।

ହିନ୍ଦୁତ୍ୱକୁ ନେଇ ଉଠିଲା ଝଡ

ନୂଆଦିଲ୍ଲୀ, ୦୧/୦୭: ସୋମବାର ଲୋକସଭାରେ ଆଲୋଚନା ବେଳେ ରାହୁଲ ଗାନ୍ଧିଙ୍କ ଅଭିଭାଷଣକୁ ନେଇ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ କଂଗ୍ରେସ ସାଂସଦ ଦାୟିତ୍ୱହୀନ ମନ୍ତବ୍ୟ ଦେଇଥିବା ଅଭିଯୋଗ କରିଛନ୍ତି।

ରାହୁଲ ଗାନ୍ଧି କହିଥିଲେ ଯେ, ଭଗବାନ ରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟା ବିଜେପିକୁ ଏକ ବାର୍ତ୍ତା ଦେଇଛି। ଅଯୋଧ୍ୟାରେ ହିନ୍ଦୁମାନଙ୍କ ଦ୍ୱାରା ଏକ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଭୟ ସୃଷ୍ଟି କରୁଥିବା ଲୋକ ପ୍ରକୃତରେ ହିନ୍ଦୁ ନୁହନ୍ତି। ବିଜେପି ଅଯୋଧ୍ୟାବାସୀଙ୍କ ମନରେ ଭୟ ସୃଷ୍ଟି କରିଛି। କାରଣ ହିନ୍ଦୁମାନେ କେବେ ବି ଭୟ ସୃଷ୍ଟି କରି ପାରିବେ ନାହିଁ। ଭଗବାନ ଶିବଙ୍କ ଫଟୋ ଧରି ରାହୁଲଙ୍କ ଏହି ବୟାନକୁ ବିଜେପି କଡା ନିନ୍ଦା କରିଛି।

ଏତଦବ୍ୟତୀତ ରାହୁଲ ଆହୁରି ମଧ୍ୟ କହିଥିଲେ ଯେ, ଅଗ୍ନିବୀର ଦେଶ ଓ ସୀମା ବିରୋଧୀ। ଅଗ୍ନିବୀର ୟୁଜ ଆଣ୍ଡ ଥ୍ରୋ ଭଳି। ଏହି ଯବାନଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରୁଛି। କଂଗ୍ରେସ ସରକାରକୁ ଆସିଲେ ଏହି ଯୋଜନାକୁ ବନ୍ଦ କରିବ। ବିବାଦରେ ଥିବା ନିଟ୍ ଏବେ ଏକ କମର୍ସିଆଲ ପରୀକ୍ଷାରେ ପରିଣତ ହୋଇଛି। ଗତ ୭ ବର୍ଷ ମଧ୍ୟରେ ୭୦ ଥର ପେପର ଲିକ୍ ହେଲାଣି। ସେହିପରି ଜିଏସଟି ଓ ନୋଟବନ୍ଦୀ ଦେଶକୁ ବରବାଦ କରିଛି।

ଏହି ବୟାନ ଉପରେ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ, ରାହୁଲ ଗାନ୍ଧି ସମଗ୍ର ହିନ୍ଦୁ ସମାଜକୁ ହିଂସାତ୍ମକ ବୋଲି କହିଛନ୍ତି, ଯାହାକି ଏକ ଗମ୍ଭୀରଜନକ ମନ୍ତବ୍ୟ। ସେପଟେ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ରାହୁଲ ଗାନ୍ଧି ସମଗ୍ର ଦେଶବାସୀଙ୍କୁ କ୍ଷମା ମାଗିବା ଉଚିତ୍ ବୋଲି କହିଥିଲେ।

ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାକୁ ବିରୋଧ କରି କହିଥିଲେ ଯେ, ବିରୋଧୀ ଦଳ ନେତା ଏକ ଦାୟିତ୍ୱସମ୍ପନ୍ନ ପଦ। ରାହୁଲ ପ୍ରଥମ ଥର ପାଇଁ ଦାୟିତ୍ୱ ନେଇଛନ୍ତି, କିନ୍ତୁ ଆଜି ସେ ଦାୟିତ୍ୱହୀନ ବୟାନ ଦେଇଛନ୍ତି। ଅଗ୍ନିବୀର ଯୋଜନାରେ ୧ କୋଟି ଟଙ୍କା କ୍ଷତିପୂରଣ ଦିଆଯାଉଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। କିନ୍ତୁ କଂଗ୍ରେସ ଏହି ପ୍ରସଙ୍ଗକୁ ଏକାଧିକ ଥର ଉଠାଇ ମିଥ୍ୟା ବୟାନ ସୃଷ୍ଟି କରିବାକୁ ଚେଷ୍ଟା କରିଛି ବୋଲି ସେ କହିଛନ୍ତି। ଆଜି ରାହୁଲ ଗାନ୍ଧୀ ସମଗ୍ର ହିନ୍ଦୁ ସମାଜକୁ ହିଂସାତ୍ମକ ବୋଲି କହିଛନ୍ତି। ଏହା ଦ୍ୱାରା ସେ ହିନ୍ଦୁ ସମାଜକୁ ଅପମାନିତ କରିଛନ୍ତି। ରାହୁଲ ଗାନ୍ଧି ଆଜି ବିରୋଧୀ ଦଳ ନେତା ପଦର ମର୍ଯ୍ୟାଦା ହ୍ରାସ କରିଛନ୍ତି ବୋଲି ବୈଷ୍ଣବ କହିଛନ୍ତି।

ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରି କହିଛନ୍ତି ଯେ ସଂସଦ ସଦସ୍ୟଙ୍କ ହିଂସାତ୍ମକ ବୟାନର ସମାଧାନ ପାଇଁ ଏକ ନିର୍ଦ୍ଦେଶନାମା ପ୍ରସ୍ତୁତ କରିବାକୁ ବାଚସ୍ପତିଙ୍କୁ ଅନୁରୋଧ କରାଯାଇଛି। ଆମେ ବାଚସ୍ପତିଙ୍କୁ ଅନୁରୋଧ କରିଛୁ ଯେ ଯଦି ଆମେ ଏକ ଯାଞ୍ଚ ବିହୀନ ବିବୃତି ଦେଇଛୁ ତେବେ ଆମେ ସଂଶୋଧନ ମୂଳକ ପଦକ୍ଷେପ ନେବାକୁ ପ୍ରସ୍ତୁତ ଅଛୁ। ତେବେ ଯଦି ବିରୋଧୀ ଦଳ ନେତା ଗୃହରେ ମିଛ କହୁଥିବା ଜଣାପଡ଼େ, ତା’ହେଲେ ସେମାନଙ୍କୁ ନିୟମାବଳୀ ଅନୁସାରେ କାର୍ଯ୍ୟାନୁଷ୍ଠାନର ସାମନା କରିବେ।