ଏସ୍ଆଇଙ୍କୁ ଲାଞ୍ଚ ନେବା ପଡ଼ିଲା ମହଙ୍ଗା

ବିଞ୍ଝାରପୁର ଥାନା ଏସ୍ଆଇ ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଛନ୍ତି।

ଗିରଫ କଲା ଭିଜିଲାନ୍ସ

ଯାଜପୁର, ୦୩/୦୭: ଯାଜପୁର ବିଞ୍ଝାରପୁର ଥାନାରେ କାର୍ଯ୍ୟରତ ଜଣେ ସବ୍ ଇନ୍ସପେକ୍ଟରଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ। ଶବ ବ୍ୟବଚ୍ଛେଦ ରିପୋର୍ଟ ଦେବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଅଭିଯୁକ୍ତ ଏସ୍ଆଇ କେଶବ ଚନ୍ଦ୍ର ଦାସଙ୍କୁ ଗିରଫ କରିଛି ଭିଜିଲାନ୍ସ।

ବିଂଝାରପୁର ପୁରୁଣା ଥାନା ପରିସରରେ ଥିବା ସରକାରୀ ବାସଭବନରୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ପୁଲିସ ଅଧିକାରୀଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଅଧିକ ଖୋଳତାଡ଼ ପାଇଁ ଏସ୍ଆଇଙ୍କ ସହ ଜଡ଼ିତ ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିବା ସହ ଘଟଣାର ତଦନ୍ତ କରାଯାଉଛି।