ମାଲକାନଗିରିର ପୂର୍ବତନ ବିଧାୟକ ଆଦିତ୍ୟ ମାଢୀଙ୍କ ବିୟୋଗ

ମାଲକାନଗିରିର ପୂର୍ବତନ ବିଧାୟକ ଆଦିତ୍ୟ ମାଢୀଙ୍କ କିଡନୀ ରୋଗରେ ପରଲୋକ ଘଟିଛି।

ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୦୩/୦୭: ମାଲକାନଗିରିର ପୂର୍ବତନ ବିଧାୟକ ତଥା ବିଜେପି ନେତା ଆଦିତ୍ୟ ମାଢ଼ୀଙ୍କର ଆଜି ପରଲୋକ ଘଟିଛି। କିଡନୀ ଜନିତ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ୱରର ଏମ୍ସ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଆଜି ସନ୍ଧ୍ୟା ୫ଟାରେ ଶ୍ରୀ ମାଢୀଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ହୋଇଥିଲା।

ଗତ କିଛି ଦିନ ହେବ ସେ ମାଲକାନଗିରିରେ ଚିକିତ୍ସିତ ହେଉଥିଲେ। କିନ୍ତୁ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଭୁବନେଶ୍ବର ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା। ମାଢୀଙ୍କର ପୂର୍ବରୁ କିଡନୀ ପ୍ରତିରୋପଣ ଅସ୍ତ୍ରୋପଚାର ହୋଇଥିଲା। ଶ୍ରୀ ମାଢୀ ୨୦୧୯ରୁ ୨୦୨୪ ଯାଏଁ ବିଜେପି ବିଧାୟକ ଥିଲେ।

ପୂର୍ବତନ ବିଧାୟକ ଆଦିତ୍ୟ ମାଢ଼ୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମାଲକାନଗିରି ଜିଲ୍ଲାର ବିକାଶରେ ଆଦିତ୍ୟ ମାଢ଼ୀଙ୍କର ବହୁତ ଅବଦାନ ରହିଛି। ମାଲକାନଗିରିରେ ବିଜେପିକୁ ସୁଦୃଢ଼ କରିବାରେ ମଧ୍ୟ ଶ୍ରୀ ମାଢୀଙ୍କ ପ୍ରମୁଖ ଭୂମିକା ରହିଛି।