ମୁଖ୍ୟମନ୍ତ୍ରୀ ପଦରୁ ଚମ୍ପାଇ ସୋରେନଙ୍କ ଇସ୍ତଫା

ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କଲେ ଚମ୍ପାଇ ସୋରେନ।

ପୁଣି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେବେ ହେମନ୍ତ ସୋରେନ୍

ଝାଡ଼ଖଣ୍ଡ, ୦୩/୦୭: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଚମ୍ପାଇ ସୋରେନ। ଜେଲରୁ ମୁକୁଳିବା ପରେ ରାଞ୍ଚିରେ ଇଣ୍ଡିଆ ମେଣ୍ଟ ବୈଠକରେ ହେମନ୍ତ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ନିଷ୍ପତ୍ତି ନେବା ପରେ ଚମ୍ପାଇ ସୋରେନ୍ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଝାଡ଼ଖଣ୍ଡ ରାଜ୍ୟପାଳ ସି. ପି ରାଧାକ୍ରିଷ୍ଣନଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି ଚମ୍ପାଇ ସୋରେନ।

ଜମି ଦୁର୍ନୀତି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିବାର ଦୁଇ ଦିନ ପରେ ଫେବ୍ରୁଆରୀ ୨ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ଚମ୍ପାଇ ସୋରେନ। ତେବେ ଜୁନ୍ ୨୮ ତାରିଖରେ ଝାଡ଼ଖଣ୍ଡ ହାଇକୋର୍ଟ ହେମନ୍ତ ସୋରେନଙ୍କୁ ଜାମିନ ଦେଇଥିଲେ। ଏବେ ଜାମିନରେ ମୁକୁଳିବା ପରେ ହେମନ୍ତ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଇଣ୍ଡିଆ ମେଣ୍ଟ ନେତୃତ୍ୱ ନିଷ୍ପତ୍ତି ନେଇଛନ୍ତି। ଇସ୍ତଫା ପରେ ଚମ୍ପାଇ ସୋରେନଙ୍କୁ ଜେଏମ୍ଏମର କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ମିଳିବାକୁ ଥିବା ସୂଚନା ମିଳିଛି।