ବଡଦାଣ୍ଡରେ ସଫେଇ କଲେ ମୁଖ୍ୟମନ୍ତ୍ରୀ

ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ପ୍ରଭାତୀ ପରିଡ଼ା ପ୍ରମୁଖ ସଫେଇ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ସାମିଲ ହେଲେ ମନ୍ତ୍ରୀ, ବିଧାୟକ

ପୁରୀ, ୦୬/୦୭: ଆସନ୍ତାକାଲି ରଥଯାତ୍ରା ଆରମ୍ଭ ହେବାକୁ ଯାଉଛି। ଏହାର ଗୋଟିଏ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶନିବାର ପୁରୀ ବଡ଼ ଦାଣ୍ଡରେ ଏକ ବିଶାଳ ସଫେଇ ଅଭିଯାନ ଆୟୋଜନ କରିଛନ୍ତି। ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ପ୍ରଭାତୀ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

ରଥଯାତ୍ରାରେ ବଡଦାଣ୍ଡରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ, ବିଧାୟକ ଓ ମନ୍ତ୍ରୀଙ୍କ ସହ ଏହି ସଫେଇ ଅଭିଯାନରେ ବହୁ ସ୍ୱେଚ୍ଛାସେବୀ ମଧ୍ୟ ଯୋଗ ଦେଇଥିଲେ।

ଏହି ଅବସରରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ଆସନ୍ତାକାଲି ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ ଦାଣ୍ଡକୁ ଆସି ଭକ୍ତଙ୍କୁ ଦର୍ଶନ ଦେବେ। ମହାପ୍ରଭୁଙ୍କୁ ଦେଖିବା ପାଇଁ ବଡ଼ଦାଣ୍ଡରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ରାଜ୍ୟ ସରକାର ବଡ଼ ଦାଣ୍ଡକୁ ପରିଷ୍କାର ରଖିବା ପାଇଁ ସଫେଇ ଅଭିଯାନ ଆରମ୍ଭ କରିଛନ୍ତି। ସ୍ୱଚ୍ଛତା ଉପରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ସରକାରୀ ପଦକ୍ଷେପର ଉଦ୍ଦେଶ୍ୟ। ବଡ଼ ଦାଣ୍ଡରେ ପ୍ଲାଷ୍ଟିକ୍ ଆବର୍ଜନା ନ ପକାଇବା ସହ ଏକକ ପ୍ଲାଷ୍ଟିକ୍ ନିଷେଧ କରିବାକୁ ଆମେ ଭକ୍ତମାନଙ୍କୁ ଅନୁରୋଧ କରୁଛୁ।